ଆଜି ଭାରତ ଗସ୍ତରେ ଆସିବେ ରୁଷ୍‌ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ : ରୁଷ୍‌ ବିଦେଶ ମନ୍ତ୍ରୀ ସର୍ଗେୟି ଲାବ୍‌ରୋବ ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି। ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୧ ତାରିଖରେ ଲାବ୍‌ରୋବ ଭାରତ ଗସ୍ତରେ ରହିବେ ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ଆଜି ସ୍ପଷ୍ଟ କରିଛନ୍ତି। ୟୁକ୍ରେନ୍‌ରେ ଯୁଦ୍ଧ ଆରମ୍ଭ ପରେ ରୁଷ୍‌ର ଭାରତ ସହ ପ୍ରଥମ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି। ଲାବ୍‌ରୋବ ୨ ଦିନିଆ ଚୀନ୍‌ ଗସ୍ତ ପରେ ଭାରତ ଗସ୍ତରେ ଆସିବେ। ସେ ଆଜି ଚୀନ୍‌ ଗସ୍ତରେ ଯାଇଛନ୍ତି। ରୁଷ୍ ବିଦେଶ ମନ୍ତ୍ରୀଙ୍କ ଭାରତ ଗସ୍ତ ଆମେରିକାର ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ଦଲୀପ ସିଂହ ଏବଂ ବ୍ରିଟେନ୍‌ ବିଦେଶ ସଚିବ ଲିଜ୍‌ ଟ୍ରସ୍‌ଙ୍କ ଭାରତ ଗସ୍ତ ସହ ଏକ ସଂଯୋଗ। ଟ୍ରସ୍ ଗୁରୁବାର ଭାରତ ଗସ୍ତରେ ଆସିବାକୁ ଥିବାବେଳେ ୩୦ ଏବଂ ୩୧ରେ ସିଂହଙ୍କ ଗସ୍ତ ରହିଛି। ସେହିପରି ଜର୍ମାନ ବିଦେଶ ଏବଂ ସୁରକ୍ଷା ନୀତି ଉପଦେଷ୍ଟା ଜେନ୍‌ସ ପ୍ଲଟ୍‌ନର ଆଜି ଭାରତ ଗସ୍ତରେ ଆ‌ସିଛନ୍ତି। ଉଲ୍ଲେଖଯୋଗ୍ୟ, ଚୀନ୍‌ ବିଦେଶ ମନ୍ତ୍ରୀ ୱାଙ୍ଗ୍‌ ୱି ଗତ ସପ୍ତାହରେ ଭାରତ ଗସ୍ତରେ ଆସିଥିଲେ।

ସମ୍ବନ୍ଧିତ ଖବର