ଶାରଦା ଓ ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲା, ତଦନ୍ତକାରୀ ଅଫିସର ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ପଙ୍କଜ ଶ୍ରୀବାସ୍ତବଙ୍କ ବଦଳି

କୋଲକାତା: ବହୁଚର୍ଚ୍ଚିତ ଶାରଦା ଓ ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାର ତଦନ୍ତ କରୁଥିବା ସିବିଆଇ କୋଲକାତା ଜୋନ୍‌ର ଜଏଣ୍ଟ ଡାଇରେକ୍ଟର ପଙ୍କଜ ଶ୍ରୀବାସ୍ତବଙ୍କ ବଦଳି ହୋଇଛି। ନୂଆଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ଜଏଣ୍ଟ ଡାଇରେକ୍ଟର (ଟ୍ରେନିଂ) ଭା‌ବେ ନିଯୁକ୍ତ କରାଯାଇଛି। କୋଲକାତା ଜୋନ୍‌ରେ ନୂଆ ଯୁଗ୍ମ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ତେଣୁ ନୂଆ ଅଫିସର ଆସିବା ପର୍ଯ୍ୟନ୍ତ ଶ୍ରୀବାସ୍ତବ କୋଲକାତାର ଅତିରିକ୍ତ ଦାୟିତ୍ବ ତୁଲାଇବେ। ଶ୍ରୀବାସ୍ତବଙ୍କ ବଦଳି ନେଇ ବିରୋଧୀ ଶିବିରରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଶାରଦା ଏବଂ ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ଠକେଇର ତଦନ୍ତରେ ଅନେକ ଦିନ ହେଲା ଶ୍ରୀବାସ୍ତବ ସାମିଲ ଥିଲେ। ସେ ତଦନ୍ତ ଭାର ନେବା ପରେ ଏହି ଠକେଇ ମାମଲାରେ ବରିଷ୍ଠ ଆଇପିଏସ୍‌ ଅଫିସର ତଥା ପୂର୍ବତନ ପୁଲିସ କମିସନର୍‌ ରାଜୀବ କୁମାରଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା। ଚିଟ୍‌ଫଣ୍ଡ ଠକେଇର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଟିମ୍‌ରେ ଥିଲେ ରାଜୀବ କୁମାର। ସିଲଂରେ ରାଜୀବଙ୍କୁ ସିବିଆଇ ଟିମ୍‌ ପଚରା ଉଚରା କରିବା ପରେ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ରାଜୀବଙ୍କ ଗିରଫଦାରୀକୁ ନେଇ ବେଶ୍‌ ହାଇ ଭୋଲ୍‌ଟେଜ୍‌ ଡ୍ରାମା ହୋଇଥିଲା। ଯାହାଫଳରେ ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର