ସାବର୍‌କର୍‌ ଆମ ଆଦର୍ଶ, ତାଙ୍କ ପ୍ରତି ଅପମାନ ବରଦାସ୍ତ କରିବୁ ନାହିଁ: ରାହୁଲ୍‌ ଗାନ୍ଧୀଙ୍କୁ କହିଲେ ଉଦ୍ଧବ ଠାକ୍‌ରେ

ମ‌ାଲେଗାଓଁ: ହିନ୍ଦୁ ନୀତିବାଦୀ ଭି. ଡି. ସାବର୍‌କର୍‌ଙ୍କୁ ଆଦର୍ଶ ବିଚାରୁଥିବାରୁ ତାଙ୍କୁ ଅପମାନ ଦେବାରୁ ନିବୃତ୍ତ ରୁହନ୍ତୁ ବୋଲି ରବିବାର ଦିନ ଉଦ୍ଧବ ଗୋଷ୍ଠୀ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ  ରାହୁଲ୍‌ ଗାନ୍ଧୀଙ୍କୁ କହିଛନ୍ତି।

ମହାରାଷ୍ଟ୍ରର ନାଶିକ ଅନ୍ତର୍ଗତ ମୁସ୍‌ଲିମ୍‌ ପ୍ରଧାନ ବୟନ ନଗରୀ ମାଲେଗାଓଁରେ ଗୋଟାଏ ରାଲିରେ ଉଦ୍‌ବୋଧନ ଦେବା ବେଳେ ଉଦ୍ଧବ ଠାକ୍‌ରେ କହିଛନ୍ତି, ସାବର୍‌କର୍‌ ଆମ ଆଦର୍ଶ। ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେ ଏକତ୍ର ସଂଗ୍ରାମ କରୁଥିଲେ ବି ତାଙ୍କ ପ୍ରତି ଦିଆଯାଉଥିବା ଅପମାନ ବରଦାସ୍ତ କରିବୁ ନାହିଁ।

୧୪ ବର୍ଷ ଧରି ଆଣ୍ଡାମାନ୍‌ର ସେଲୁଲାର୍‌ ଜେଲ୍‌ରେ ସାବର୍‌କର୍‌ ଅକଳ୍ପନୀୟ ନିର୍ଯାତନା ଭୋଗିଛନ୍ତି। ଆମେ ଖାଲି ସେ ନିର୍ଯାତନା କଥା ପଢୁଛୁ। ଏହା ଏକପ୍ରକାରର ଆତ୍ମବଳି।

ସ୍ମରଣଯୋଗ୍ୟ, ‘ମୋଦୀ ସାଙ୍ଗିଆ’ ମାମଲାରେ ଗୁଜରାଟର ସୁରତ ଜିଲ୍ଲା ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇବା କାରଣରୁ ଶୁକ୍ରବାର ଦିନ ରାହୁଲ୍‌ ଗାନ୍ଧୀ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷତି ହୋଇଥିଲେ। ଏହାର ପ୍ରତିବାଦ କରିବାକୁ ଯାଇ ଡକାଇଥିବା ସାମ୍ବାଦିକ ସମ୍ମିଳନୀରେ ରାହୁଲ୍‌ କହିଥିଲେ, ମୋ ନାଁ ସାବର୍‌କର୍‌ ନୁହେଁ, ମୋ ନାଁ ଗାନ୍ଧୀ ଏବଂ ଗାନ୍ଧୀ କାହାକୁ କ୍ଷମାଭିକ୍ଷା କରେନାହିଁ।

Image Courtesy of Zee News

କିନ୍ତୁ, ମହାରାଷ୍ଟ୍ରରେ କଂଗ୍ରେସ ଓ ‘ଏନ୍‌ସିପି’ ସହିତ ମେଣ୍ଟ କରିଥିବା ଉଦ୍ଧବ ଠାକ୍‌ରେ ଗୋଷ୍ଠୀ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ରାହୁଲ୍‌ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି ଯେ, କ୍ରୋଧାନ୍ବିତ ନ ହୋଇ ଆସନ୍ତୁ, ସମ୍ମିଳିତ ଭାବେ ଭାରତର ଗଣତନ୍ତ୍ରକୁ ରକ୍ଷା କରିବା।

ସେ କହିଛନ୍ତି, ରାହୁଲ୍‌ ଗାନ୍ଧୀଙ୍କୁ କହିଦେବାକୁ ଚାହେଁ ଯେ, ଆମ ଦେଶର ଗଣତନ୍ତ୍ର ଓ ତା’ର ସମ୍ବିଧାନକୁ ରକ୍ଷା କରିବା ପାଇଁ ଆମେ ଏକତ୍ର ହୋଇଛନ୍ତି। କିନ୍ତୁ, ଆପଣଙ୍କୁ ଜାଣିଶୁଣି କ୍ରୋଧାନ୍ବିତ କରାଯାଉଛି। ଏ ସମୟ ନଷ୍ଟ କଲେ ଗଣତନ୍ତ୍ରର ସତ୍ତା ରହିବ ନାହିଁ। ୨୦୨୪ ନିର୍ବାଚନ ହେବ ଶେଷ ନିର୍ବାଚନ।

Image Courtesy of India Today

ଶାସକ ‘ବିଜେପି’କୁ ବିଦ୍ରୂପ କରି ଠାକ୍‌ରେ ଅଭିଯୋଗ କରିଛନ୍ତି ଯେ, ଦେଶର ସ୍ବାଧୀନତା ଆନ୍ଦୋଳନରେ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ଗଣତନ୍ତ୍ରର ଅବସାନ ପାଇଁ ଚେଷ୍ଟା ଚଳାଇଛନ୍ତି। ମୋଦୀ ଭାରତ ନୁହନ୍ତି। ଏଇଥି ପାଇଁ କ’ଣ ଆମ ସ୍ବାଧୀନତା ସଂଗ୍ରାମୀମାନେ ଆତ୍ମବଳି ଦେଇଥିଲେ?

ସମ୍ବନ୍ଧିତ ଖବର