ସୁପ୍ରିମକୋର୍ଟରେ ବନ୍ଦ ହେଲା ଇଟାଲି ନାବିକଙ୍କ ଦ୍ବାରା କେରଳ ମତ୍ସ୍ୟଜୀବୀଙ୍କ ହତ୍ୟା ମାମଲା, ୧୦ କୋଟିର କ୍ଷତିପୂରଣ ନିଷ୍ପତ୍ତି

ନୂଆଦିଲ୍ଲୀ : ଇଟାଲିର ଦୁଇ ନାବିକଙ୍କ ଦ୍ବାରା କେରଳର ଦୁଇ ମତ୍ସ୍ୟଜୀବୀଙ୍କ ହତ୍ୟା ମାମଲାକୁ ସୁପ୍ରିମ କୋର୍ଟ ବନ୍ଦ ଘୋଷଣା କରିଛନ୍ତି । ଏହି ହତ୍ୟାକାଣ୍ଡ ପାଇଁ ଇଟାଲି ପକ୍ଷରୁ ୧୦ କୋଟିର କ୍ଷତିପୂରଣ ଦିଆଯ଼ିବା ପରେ ଏହି ଅପରାଧିକ ମାମାଲା ପ୍ରାୟ ୯ ବର୍ଷ ପରେ ବନ୍ଦ ହୋଇଛି । ସୁପ୍ରିମକୋର୍ଟର ଅବସରକାଳୀନ ଖଣ୍ଡପୀଠ ଇନ୍ଦିରା ବାନାର୍ଜୀ ଓ ଏମଆର ଶାହା ଏହି ମାମଲା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
୨୦୧୨ ଫେବ୍ରୁଆରି ମାସରେ ତାମିଲନାଡ଼ୁ ଉପକୂଳରେ ଭାରତୀୟ ଜଳସୀମା ମଧ୍ୟରେ ଥିବା ଇଟାଲିର ଏକ ତୈଳବାହୀ ଜାହାଜ ଏମଭି ଏନରିକା ଲେକ୍ସିରେ ଥିବା ଦୁଇଜଣ ନାବିକ ମାସିମିଲାନୋ ଲାଟୋରେ ଓ ସାଲଭାଟୋର ଗିରୋନେ ନିକଟରେ ଯ଼ାଉଥିବା ଭାରତୀୟ ମାଛଧରା ବୋଟ ଉପରକୁ ଗୁଳିଚଳାଇଥିଲେ । ଫଳରେ ବୋଟରେ ଥିବା କେରଳର ଦୁଇଜଣ ମତ୍ସ୍ୟଜୀବୀ ନିହତ ହୋଇଥିଲେ ।
ଏହି ଘଟଣା ପରେ ସେମାନଙ୍କୁ ଗିରଫ କରି ମାମଲା ରୁଜ୍ଜୁ କରାଯ଼ାଇଥିଲା । ପରେ ଏହି ମାମଲା ଭାରତର ସୁପ୍ରିମକୋର୍ଟ ଓ ଅନ୍ତର୍ଜାତୀୟ ଟ୍ରିବୁନାଲକୁ ଯାଇଥିଲା । ତେବେ ଅନ୍ତର୍ଜାତୀୟ ଟ୍ରିବୁନାଲଙ୍କ ରାୟ ଓ ଭାରତ,ଇଟାଲି ଓ କେରଳ ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ କ୍ଷତିପୂରଣ ପରିମାଣ ସ୍ଥିର ହୋଇଥିଲା ।
ଏହି ବୁଝାମଣା ଅନୁସାରେ ୧୦ କୋଟିର କ୍ଷତିପୂରଣ ମଧ୍ୟରୁ ୪ କୋଟି ଲେଖାଏଁ ଦୁଇ ମୃତ ମସ୍ୟଜୀବୀଙ୍କ ପରିବାର ଓ ୨ କୋଟି ଉକ୍ତ ମାଛଧରା ବୋଟର ମାଲିକଙ୍କୁ ଦିଆଯ଼ିବ ।

ସମ୍ବନ୍ଧିତ ଖବର