ଶରଦ ଯାଦବ ଗଢ଼ିବେ ନୂଆ ଦଳ

ନୂଆଦିଲ୍ଲୀ: ସଂଯୁକ୍ତ ଜନତାଦଳ(ଜେଡିୟୁ)ର ଶରତ ଯାଦବଙ୍କ ଗୋଷ୍ଠୀ ନୂଆ ଦଳ ଗଢ଼ିବେ ବୋଲି ଜଣାଯାଇଛି। ନିଜକୁ ଜେଡିୟୁର ଅସଲି ଦାୟାଦ ବୋଲି ଦାବି କରୁଥିବା ଶରଦଙ୍କ ଗୋଷ୍ଠୀ ଦଳୀୟ ସଂକେତ ‘ତୀର ଚିହ୍ନ’ ହାସଲ ପାଇଁ କରିଥିବା ଆବେଦନକୁ କିଛି ଦିନ ତଳେ ନିର୍ବାଚନ ଆୟୋଗ ନାମଞ୍ଜୁର କରିବା ପରେ ଶରଦଙ୍କ ଅନୁଗାମୀମାନେ ଏପରି ପଦକ୍ଷେପ ନେଉଥିବା ଜଣାଯାଇଛି। ପ୍ରସ୍ତାବିତ ନୂଆ ଦଳର ନାମ ଭାରତୀୟ ଟ୍ରାଇବାଲ୍‌ ପାର୍ଟି ଏବଂ ଏହାର ଦଳୀୟ ଚିହ୍ନ ଅଟୋ ରିକ୍ସା ରହିବ ବୋଲି ଦଳର ମହାସଚିବ ଅରୁଣ ଶ୍ରୀବାସ୍ତବ କହିଛନ୍ତି। ଏପରିକି ଗୁଜରାଟର ଏକମାତ୍ର ଜେଡିୟୁ ବିଧାୟକ ଛୋଟୁ ବାସବଙ୍କ ସମେତ ୭ ଜଣ ପ୍ରାର୍ଥୀ ଏହି ନୂଆ ଦଳ ପକ୍ଷରୁ ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଅରୁଣ ସୂଚନା ଦେଇଛନ୍ତି। ତେବେ ଗୁଜରାଟ ନିର୍ବାଚନ ପରେ ଶରଦ ଗୋଷ୍ଠୀଙ୍କ ଏହି ନୂଆ ଦଳର ଆନୁଷ୍ଠାନିକ ରୂପରେଖ ସ୍ପଷ୍ଟ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର