ସ୍ବାଗତ ପାଇଁ ସମର୍ଥକ ବାଜା, ବାଣ ସହ ପ୍ରସ୍ତୁତ ଥିଲେ, କିନ୍ତୁ ଜେଲରୁ ମୁକ୍ତ ହୋଇପାରିଲେ  ନାହିଁ ସିଦ୍ଧୁ

ଚଣ୍ଡିଗଡ଼ : ଏକ ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ କ୍ରିକେଟିୟର ତଥା ରାଜନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଜାନୁଆରି ୨୬ ଗଣତନ୍ତ୍ର ଦିବସ ଉପଲକ୍ଷେ ଜେଲରୁ ମୁକ୍ତ କରାଯାଇଥାନ୍ତା । ସିଦ୍ଧୁଙ୍କ ମୁକ୍ତିକୁ ସ୍ୱାଗତ କରିବା ପାଇଁ ପଞ୍ଜାବର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଲଗାଯାଇଥିଲା। ସିଦ୍ଧୁଙ୍କ ସମର୍ଥକମାନେ ମଧ୍ୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଶୋଭାଯାତ୍ରା ଯିବାକୁ ଥିବା ରାସ୍ତାର ମାନଚିତ୍ର ସେୟାର କରିଥିଲେ ।  କିନ୍ତୁ ଶେଷ ମୂହୂର୍ତ୍ତରେ ରାଜ୍ୟ ସରକାର ସବୁଜ ସଂକେତ ମିଳିନଥିବାରୁ ଜେଲରୁ ତାଙ୍କ ମୁକ୍ତି ହୋଇପାରିନଥିଲା । ଏହାକୁ ନେଇ ତାଙ୍କ ସମର୍ଥକ ନିରାଶ ହୋଇଯାଇଛନ୍ତି । ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ମୁକ୍ତ କରିବାର ନିଷ୍ପତ୍ତି ଟଳିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗଣତନ୍ତ୍ର ଦିବସ ଉପଲକ୍ଷେ ସିଦ୍ଧୁ ଓ ଆଉ କେତେକ କଏଦୀଙ୍କୁ ଭଲ ଆଚରଣ ପାଇଁ ସମୟ ପୂର୍ବରୁ ଛଡ଼ାଯିବାର ଥିଲା । ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ତେବେ ଏହି ତାଲିକାକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସବୁଜ ସଂକେତ ମିଳିନାହିଁ ।

ନବଜ୍ୟୋତ ସିଦ୍ଧୁ ଗତ ବର୍ଷ ମେ ୨୦ ରେ ପଟିଆଲା ଜେଲଯାଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ତାଙ୍କୁ ଏକ ବର୍ଷ ପାଇଁ ଦଣ୍ଡିତ କରାଯାଇଛି । ଡିସେମ୍ବର ୧୯୮୮ ହୋଇଥିବା ଏକ ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଯେଉଁଥିରେ ପାର୍କିଂକୁ ନେଇ ଜଣେ ବୃଦ୍ଧ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ହେବା ପରେ ସିଦ୍ଧୁ ତାଙ୍କୁ ଠେଙ୍ଗାରେ ମାରିଥିଲେ, ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର