ମହାମାରୀ ଘୋଷଣାର ୯ ମାସ, ଭାରତରେ ଜନ୍ମ ନେବେ ସର୍ବାଧିକ ୨ କୋଟି ଶିଶୁ

ଜାତିସଂଘ: କୋଭିଡ୍‌-୧୯ ରୋଗକୁ ଗତ ମାର୍ଚ୍ଚ ୧୧ ତାରିଖରେ ଜାତିସଂଘ ମହାମାରୀ ଘୋଷଣା କରିବା ପରଠାରୁ ଜନସଂଖ୍ୟା ସମ୍ବଳିତ ଏକ ନିଆରା ଚିତ୍ର ସାମନାକୁ ଆସିଛି। ସାମ୍ପ୍ରତିକ ପ୍ରେକ୍ଷାପଟରେ ଡିସେମ୍ବର ସୁଦ୍ଧା ବିଶ୍ବରେ ୧୧ କୋଟି ୬୦ ଲକ୍ଷ ଶିଶୁ ଜନ୍ମ ନେବେ ଏବଂ ଏହି ସେମାନଙ୍କ ମଧ୍ୟରୁ ଭାରତ ହିଁ ସର୍ବାଧିକ ୨ କୋଟିରୁ ଅଧିକଙ୍କୁ ସ୍ବାଗତ କରିବାର ଭିନ୍ନ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛି। ଶିଶୁମାନଙ୍କ ସମ୍ପର୍କରେ କାର୍ଯ୍ୟ କରୁଥିବା ଜାତିସଂଘର ସହଯୋଗୀ ଅନୁଷ୍ଠାନ ୟୁନିସେଫ୍ ପକ୍ଷରୁ ଏପରି ଭବିଷ୍ୟବାଣୀ କରାଯିବା ସହ ଚେତାବନୀ ମଧ୍ୟ ଦିଆଯାଇଛି। କାରଣ ଡିସେମ୍ବର ଭିତରେ ସଂପୃକ୍ତ ଗର୍ଭବତୀ ଓ ନବଜାତମାନଙ୍କ ପାଇଁ ଉପଯୁୁକ୍ତ ସ୍ବାସ୍ଥ୍ୟ ସେବା ମିଳିପାରିବା କଷ୍ଟକର ହେବ ବୋଲି ୟୁନିସେଫ୍ ଆଶଙ୍କା ପ୍ରକଟ କରିଛି। ଏଇ ୧୦ ତାରିଖରେ ପାଳିତ ହେବାକୁ ଥିବା ଆନ୍ତର୍ଜାତିକ ମାତୃ ଦିବସର ଅବ୍ୟବହିତ ପୂର୍ବରୁ ୟୁନିସେଫ୍ର ଏପରି ନୈରାଶ୍ୟବାଣୀ ସମସ୍ତଙ୍କୁ ସତର୍କ କରାଇ ଦେଇଛି।

ୟୁନିସେଫ୍ ତଥ୍ୟ ମୁତାବକ, ଏହି ସମୟ ଭିତରେ ସବୁଠୁ ଜନବହୁଳ ରାଷ୍ଟ୍ର ଚୀନ୍‌ରେ ସାଢେ଼ ୧୩ ନିୟୁତ(ଭାରତଠାରୁ ଯଥେଷ୍ଟ କମ୍) ଶିଶୁ ଜନ୍ମ ନେବାକୁ ଥିବା ବେଳେ ନାଇଜେରିଆରେ ୬.୪ ନିୟୁତ, ପାକିସ୍ତାନରେ ୫ ନିୟୁତ, ଇଣ୍ଡୋନେସିଆରେ ୪ ନିୟୁତ ଏବଂ ଆମେରିକାରେ ୩.୩ ନିୟୁତ ଶିଶୁ ଜନ୍ମନେବେ। ଅପରପକ୍ଷେ, ମହାମାରୀ ଘୋଷଣା ହେବା ପୂର୍ବରୁ ଏମାନଙ୍କ ମଧ୍ୟରୁ କିଛି ଦେଶରେ ନବଜାତ ମୃତ୍ୟୁହାର ଅଧିକ ରହିଥିବା ବେଳେ କୋଭିଡ୍–୧୯ ସ୍ଥିତି ଅନୁଯାୟୀ ଏହି ମୃତ୍ୟୁହାର ଆହୁରି ବଢ଼ିବାର ଆଶଙ୍କା ନେଇ ୟୁନିସେଫ୍ ସତର୍କ କରାଇଦେଇଛି। ତେବେ କୋଭିଡ୍-୧୯ ସଂକ୍ରମଣର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପଗୁଡି଼କ ଯୋଗୁଁ ଗର୍ଭବତୀ ଓ ଗର୍ଭସ୍ଥ ଶିଶୁମାନଙ୍କ ଲାଗି ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇଦେବା ସମ୍ଭବ ହେବ ନାହିଁ। ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ କୋଭିଡ୍ ରୋଗୀଙ୍କୁ ସାମନା କରିବା, ଆବଶ୍ୟକ ଡାକ୍ତରୀ ସରଞ୍ଜାମର ଅଭାବ ଏବଂ କୁଶଳୀ ସେବିକାମାନଙ୍କର ଅନ୍ୟତ୍ର ଉପସ୍ଥିତି ଯୋଗୁଁ ନିୟୁତ ନିୟୁତ ପ୍ରସୂତି ଓ ନବଜାତମାନଙ୍କର ଜୀବନ ପ୍ରତି ଭୀଷଣ ବିପଦ ଦେଖାଦେବ। ଲକ୍‌ଡାଉନ୍ ଓ କର୍ଫ୍ୟୁ ଭଳି ପରିସ୍ଥିତିରେ ସେହି ପ୍ରସୂତି ଏବଂ ନବାଗତମାନଙ୍କୁ ସେମାନଙ୍କ ପରିଜନମାନେ ଅତ୍ୟନ୍ତ ନିଷ୍ଠୁର ବାସ୍ତବତାରେ ସ୍ବାଗତ କରିବେ। ଏପରିକି ଧନୀ ରାଷ୍ଟ୍ରମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବେ ବୋଲି ୟୁନିସେଫ୍ କହିଛି। ପରିବର୍ତ୍ତିତ ପରିସ୍ଥିତିରେ ଏହି ମହାମାରୀ ମାତୃତ୍ବର ପରିଭାଷାକୁ କିଭଳି ଲିପିବଦ୍ଧ କରିବ ତାହା କଳ୍ପନା କରିବା ମଧ୍ୟ ମୁସ୍କିଲ ବୋଲି ୟୁନିସେଫ୍‌ର ନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି।

ଜାତିସଂଘର ଜନସଂଖ୍ୟା ବିଭାଗ ପକ୍ଷରୁ ‘ବିଶ୍ବ ଜନସଂଖ୍ୟା ପାଇଁ ସଫଳତାର ସୁଯୋଗ–୨୦୧୯’ ଅନୁଧ୍ୟାନର ତଥ୍ୟକୁ ଆଧାର କରି ୟୁନିସେଫ୍ ଏପରି ଆକଳନ କରିଛି। ଚଳିତ ବର୍ଷର ଜାନୁଆରିରୁ ଡିସେମ୍ବର ମାସ ଭିତରେ ଆମ ଦେଶରେ ୨ କୋଟି ୪୧ ଲକ୍ଷ ଶିଶୁ ଜନ୍ମ ନେବେ ବୋଲି ୟୁନିସେଫ୍ ଆକଳନ କରିଛି। ଯଦିଓ ଅନ୍ୟମାନଙ୍କ ତୁଳନାରେ ଗର୍ଭବତୀମାନେ କୋଭିଡ୍–୧୯ ଦ୍ବାରା କମ୍ କ୍ଷତିଗ୍ରସ୍ତ ହେବେ, ତେବେ ସେମାନଙ୍କ ନିରାପଦ ଗର୍ଭବାସ ଏବଂ ପ୍ରସବ ପର ଆବଶ୍ୟକ ଚିକିତ୍ସା ସୁବିଧା ଯେପରି ସହଜରେ ଉପଲବ୍ଧ ହୋଇପାରିବ ସେଥିପାଇଁ ରାଷ୍ଟ୍ରମାନେ ସୁନିଶ୍ଚିତ କରିବାକୁ ୟୁନିସେଫ୍ ପରାମର୍ଶ ଦେଇଛି। ସେହିପରି ଅସୁସ୍ଥ ନବଜାତକର ମଧ୍ୟ ଜରୁରୀକାଳୀନ ଚିକିତ୍ସାସେବା ଦରକାର। ପରିବାରରେ ନବଜାତକର ଆବଶ୍ୟକ ସ୍ତନ୍ୟପାନ ଓ ଔଷଧ ସମେତ ବିଭିନ୍ନ ଟିକା ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ନିର୍ବାହୀ ନିର୍ଦ୍ଦେଶକ ହେନ୍‌ରିଏଟ୍ଟା ଫୋର୍ କହିଛନ୍ତି।

ସମ୍ବନ୍ଧିତ ଖବର