ସୋନିଆ ନେଇଛନ୍ତି ଟିକାର ଦୁଇଟି ଡୋଜ, ପ୍ରିୟଙ୍କା ନେଇଛନ୍ତି ଗୋଟିଏ ଓ ରାହୁଲ ନେଇନାହାନ୍ତି ଟିକା: କଂଗ୍ରେସ

ନୂଆଦିଲ୍ଲୀ: ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ଟିକାକରଣକୁ ନେଇ ଆଜି ବିସ୍ତୃତ ତଥ୍ୟ ଦେଇଛି କଂଗ୍ରେସ | କଂଗ୍ରେସ ଆଜି କହିଛି ଯେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୋଭିଡ-୧୯ ଟିକାର ଦୁଇଟି ଡୋଜ ନେଇଛନ୍ତି ଏବଂ ସରକାର ଅନାବଶ୍ୟକ ସମସ୍ୟା ସୃଷ୍ଟି କରିବା ପରିବର୍ତ୍ତେ ସମସ୍ତ ଭାରତୀୟ ନାଗରିକଙ୍କୁ ଟିକାକରଣ କରିବାର ‘ରାଜଧର୍ମ’ ପାଳନ କରିବା ଉଚିତ୍। ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ବିଜେପିକୁ ଟାର୍ଗେଟ କରିବାବେଳେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏହି ଟିକାର ଗୋଟିଏ ଡୋଜ ନେଇଛନ୍ତି ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କୋଭିଡରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡାକ୍ତରଙ୍କ ପରାମର୍ଶରେ ଏହି ଟିକା ନେବେ ।

ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଏହି ଟିକା ନେଇଛନ୍ତି ନା ନାହିଁ ବୋଲି ବିଜେପି ନେତାମାନେ ପ୍ରଶ୍ନ କରିଥିବା ବେଳେ ରଣଦୀପ ସୁରଜେୱାଲା ଏହି ମନ୍ତବ୍ୟ ଦେଇଛନ୍ତି। ସୁରଜେୱାଲା କହିଛନ୍ତି ଯେ ଅନାବଶ୍ୟକ ପ୍ରସଙ୍ଗ ସୃଷ୍ଟି କରିବା ପରିବର୍ତ୍ତେ ମୋଦୀ ସରକାର ପ୍ରତିଦିନ ୮୦ ଲକ୍ଷରୁ ୧ କୋଟି ଲୋକଙ୍କର ଟିକାକରଣ ଉପରେ ଧ୍ୟାନ ଦେବା ଉଚିତ, ଯାହା ଦ୍ୱାରା ଡିସେମ୍ବର ୩୧, ୨୦୨୧ ସୁଦ୍ଧା ୧୦୦ କୋଟି ଲୋକଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ପୂରଣ ହୋଇପାରିବ। ସେ କହିଛନ୍ତି ଯେ କରୋନାର ଦ୍ଵିତୀୟ ଲହରୀରେ ଭାରତର ଲୋକଙ୍କୁ ନିରାଶ କରିବା ପରେ ସମସ୍ତ ଲୋକଙ୍କୁ ଟିକାକରଣ କରିବା ହେଉଛି ଏହି ସରକାରଙ୍କର ରାଜଧର୍ମ |

ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କୁ ଏପ୍ରିଲ ୧୬, ୨୦୨୧ ରେ ଟିକା ଦିଆଯାଇଥିଲା। ସାମାନ୍ୟ ଫ୍ଲୁ ଲକ୍ଷଣ ଦେଖାଯିବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା ଏବଂ ତା’ପରେ ୧୮ ଏପ୍ରିଲରେ ସେ କରୋନା ସଂକ୍ରମିତ ହୋଇଥିବାର ଜଣାପଡିଥିଲା | ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ଟିକା ଦିଆଯିବ |

ସମ୍ବନ୍ଧିତ ଖବର