ସୁରଜକୁଣ୍ଡରେ ରାଜ୍ୟ ଗୃହମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’ ଆରମ୍ଭ

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉଦ୍‌ବୋଧନ

ସୁରଜକୁଣ୍ଡ : କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ହରିୟାଣାର ସୁରଜକୁଣ୍ଡଠାରେ ଅନୁଷ୍ଠିତ ଦୁଇଦିନିଆ ‘ଚିନ୍ତନ ଶିବିର’ର ପ୍ରଥମ ଦିନରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଚିନ୍ତନ ଶିବିରରେ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଂଚଳର ଉପରାଜ୍ୟପାଳ ଓ ପ୍ରଶାସକମାନେ ଅଂଶ ଗ୍ରହଣ କରିଛନ୍ତି।

ନିଜ ସମ୍ବୋଧନରେ ଶ୍ରୀ ଶାହ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ପ୍ରେରଣା ନେଇ ଆୟୋଜନ କରାଯାଉଥିବା ଏହି ଚିନ୍ତନ ଶିବିର ସାଇବର ଅପରାଧ, ନିଶା କାରବାର ଏବଂ ସୀମାପାର ଆତଙ୍କବାଦ ଭଳି ଦେଶ ସମ୍ମୁଖରେ ରହିଥିବା ସମସ୍ତ ଆହ୍ୱାନର ସମ୍ମୁଖୀନ ହେବାକୁ ଏକ ମଂଚ ପ୍ରଦାନ କରିବ। ସେ କହିଥିଲେ ଯେ, ଆଜି ଅପରାଧଗୁଡିକର ସ୍ୱଭାବ ବଦଳିବାରେ ଲାଗିଛି ଏବଂ ସେଗୁଡିକର କୌଣସି ସୀମା ରହୁନାହିଁ। ସେଥିପାଇଁ ସମସ୍ତ ରାଜ୍ୟକୁ ମିଳିତଭାବେ ଏକ ସାଧାରଣ ରଣନୀତି ପ୍ରସ୍ତୁତ କରି ଏହା ବିରୁଦ୍ଧରେ ଲଢ଼େଇ କରିବାକୁ ପଡ଼ିବ। ଏହି ସାଧାରଣ ରଣନୀତି ପ୍ରସ୍ତୁତ କରିବା ଏବଂ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ‘ସହକାରୀ ସଂଘବାଦ, ‘ସମ୍ପୂର୍ଣ୍ଣ ସରକାର’ (ହୋଲ୍ ଅଫ୍ ଗଭର୍ଣ୍ଣମେଂଟ) ଏବଂ ‘ଟିମ୍ ଇଣ୍ଡିଆ’ ଆଭିମୁଖ୍ୟ ଅଧୀନରେ ୩ସି ଅର୍ଥାତ୍ ସହଯୋଗ, ସମନ୍ୱୟ, ସହଭାଗିତାକୁ ପ୍ରୋତ୍ସାହିତ କରୁଛନ୍ତି।

kamalsandesh.org

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ଅଂଚଳଗୁଡିକ ବର୍ତ୍ତମାନ ବିକାଶର ଅଂଚଳରେ ପରିବର୍ତ୍ତିତ ହେଉଛି। ଗତ ଆଠ ବର୍ଷରେ ଉତ୍ତରପୂବାଂଚର୍ଳର ସୁରକ୍ଷା ସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି ଏବଂ ୨୦୧୪ ପରଠାରୁ ଉଗ୍ରବାଦ ଘଟଣାରେ ୭୪ ପ୍ରତିଶତ ହ୍ରାସ ଘଟିଛି। ସୁରକ୍ଷା ବାହିନୀର ମୃତାହତ ସଂଖ୍ୟାରେ ୬୦ ପ୍ରତିଶତ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁରେ ପ୍ରାୟ ୯୦ ପ୍ରତିଶତ ହ୍ରାସ ଘଟିଛି। ଏହା ବ୍ୟତୀତ ଏନ୍ଏଲ୍ଏଫ୍ଟି, ବୋଡୋ, ବ୍ରୁ, କାର୍ବି ଓଙ୍ଗଲୋଙ୍ଗ ଚୁକ୍ତିନାମା ସ୍ୱାକ୍ଷର କରି ଏହି ଅଂଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଇଛି ଯେଉଁଥିରେ ୯,୦୦୦ରୁ ଅଧିକ ଉଗ୍ରବାଦୀ ଆତ୍ମସମର୍ପଣ କରି ସାରିଛନ୍ତି। ଉତ୍ତରପୂର୍ବାଂଚଳରେ ଶାନ୍ତି ପୁନଃସ୍ଥାପନ ସହିତ ୬୦ ପ୍ରତିଶତରୁ ଅଧିକ ଅଂଚଳରୁ ଏଏଫ୍ଏସ୍‌ପିଏ ପ୍ରତ୍ୟାହାର କରାଯାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳଗୁଡିକରେ ସ୍ଥିତିର ଉନ୍ନତି ଉପରେ ଆଲୋକପାତ କରି ଶ୍ରୀ ଶାହା କହିଥିଲେ ଯେ, ଏହି ଅଂଚଳଗୁଡିକରେ ଘଟୁଥିବା ହିଂସାରେ ୭୭% ହ୍ରାସ ଦେଖାଦେଇଛି ଏବଂ ମୃତ୍ୟୁସଂଖ୍ୟା ୮୫% ହ୍ରାସପାଇଛି। ଅଗଷ୍ଟ ୫, ୨୦୧୯ରେ ଜମ୍ମୁ-କାଶ୍ମୀରରେ ୩୭୦ ଧାରା ରଦ୍ଦ ହେବା ପରେ ସେଠାରେ ଶାନ୍ତି ଏବଂ ପ୍ରଗତିର ଏକ ନୂତନ ଯୁଗ ଆରମ୍ଭ ହୋଇଛି ବୋଲି ଶ୍ରୀ ଶାହା କହିଥିଲେ।

ସେ କହିଥିଲେ ଯେ, ଏନ୍‌ଆଇଏକୁ ଅତିରିକ୍ତ ଆଂଚଳିକ ଅଧିକାର ଦିଆଯାଇଛି ଏବଂ ଏହା ସହିତ ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ କରିବାର ଅଧିକାର ମଧ୍ୟ ଏଜେନ୍ସିକୁ ପ୍ରଦାନ କରାଯାଇଛି। ୨୦୨୪ ସୁଦ୍ଧା ଦେଶର ସମସ୍ତ ରାଜ୍ୟରେ ଏନ୍‌ଆଇଏର ଶାଖା ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ପାରସ୍ପରିକ ସହଯୋଗ ରହିବା କାରଣରୁ ଆଜି ଦେଶର ଅଧିକାଂଶ ସୁରକ୍ଷା ହଟସ୍ପଟ୍ ଦେଶବିରୋଧୀ କାର୍ଯ୍ୟକଳାପରୁ ପ୍ରାୟ ମୁକ୍ତ ହୋଇପାରିଛି। ନିଶା କାରବାର ବିରୁଦ୍ଧରେ ଭାରତ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଭଲ ପରିଣାମ ପ୍ରଦର୍ଶନ କରୁଛି ଏବଂ ଗତ ୮ ବର୍ଷ ମଧ୍ୟରେ ୩୦୦୦ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ପ୍ରାୟ ୨,୦୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମାଦକ ଦ୍ରବ୍ୟ ଜବତ କରାଯାଇଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ଦେଶର ବିକାଶ, ସ୍ଥିରତା ଏବଂ ଉତ୍ତମ ଶାସନ ପାଇଁ ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଆମ ସମସ୍ତଙ୍କର ସାଧାରଣ ଦାୟିତ୍ୱ। ରାଷ୍ଟ୍ର ନିର୍ମାଣରେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ସମାନ ଦାୟିତ୍ୱ ରହିଛି ବୋଲି ସେ କହିଥିଲେ। ସମସ୍ତ ଏଜେନ୍ସିଗୁଡିକ ମଧ୍ୟରେ ଘନିଷ୍ଠ ସହଯୋଗ ରହିଲେ ହିଁ ଦେଶ ଅଗ୍ରଗତି କରିପାରିବ। ଅମୃତ କାଳ ସମୟରେ ସହଯୋଗୀ ସଂଘବାଦର ଭାବନା ଆମର ପ୍ରେରକ ଶକ୍ତି ହେବା ଉଚିତ ଏବଂ ଏହି ଚିନ୍ତନ ଶିବିର ଆଂଚଳିକ ସହଯୋଗକୁ ଆହୁରି ବ୍ୟାପକ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର