ଶ୍ରୀଲଙ୍କାରେ ଅଦାନୀ ଗ୍ରୁପକୁ କାହିଁକି ବିରୋଧ କରାଯାଉଛି ?

କଲମ୍ବୋ : ଭାରତର ଅଦାନୀ ଗ୍ରୁପକୁ ନେଇ ଶ୍ରୀଲଙ୍କାରେ ବିବାଦ ଦେଖାଦେଇଛି । ଶ୍ରୀଲଙ୍କାରେ ଅଦାନୀ ଗ୍ରୁପକୁ ଏକ ପବନ ଶକ୍ତି ପ୍ରକଳ୍ପ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଉପରେ ଚାପ ପକାଇଥିବା ଅଭିଯୋଗ ହେବା ପରେ ଏହି ବିବାଦ ଦେଖାଦେଇଛି । ଅଦାନୀ ବିରୋଧରେ ଆସନ୍ତା କାଲି ଅର୍ଥାତ ଜୁନ ୧୬ ଅପରାହ୍ଣ ୨ଟାରେ କଲମ୍ବୋରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି । କଲମ୍ବୋର ମାଜେଷ୍ଟିକ୍ ସିଟି ନିକଟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ଏହି ବିବାଦର ସୁତ୍ରପାତ ସେତେବେଳେ ହେଲା ଯେତେବେଳେ ଶ୍ରୀଲଙ୍କାର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସିଲନ ଇଲେକ୍ଟ୍ରିସିଟି କର୍ପୋରେସନର ଅଧ୍ୟକ୍ଷ ଏମଏମସି ଫର୍ଡିନାଣ୍ଡୋ ଏକ ସଂସଦୀୟ କମିଟି ଆଗରେ ହାଜର ହୋଇ କହିଲେ ଯେ ଶ୍ରୀଲଙ୍କାରେ ୫୦୦ ମେଗାଓ୍ବାଟ କ୍ଷମତା ବିଶିଷ୍ଟ ଏକ ପବନ ଶକ୍ତି ପ୍ରକଳ୍ପକୁ ଅଦାନୀ ଗ୍ରୁପକୁ ଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଚାପ ପକାଉଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ତାଙ୍କୁ କହିଥିଲେ । କିନ୍ତୁ ପରେ ରାଜପକ୍ଷେ ଏହାକୁ ଦୃଢତାର ସହ ଖଣ୍ଡନ କରିଥିଲେ । ପରେ ଫର୍ଡିନାଣ୍ଡୋ ନିଜ ପଦରୁ ଇସ୍ତଫା ଦେବା ସହ ନିଜର ପୂର୍ବ ବୟାନରୁ ଓହରିଯାଇଥିଲେ ।

ଏହି ବିବାଦକୁ ନେଇ ଗୋଟିଏ ପଟେ ଅଦାନୀ ଗ୍ରୁପ ପକ୍ଷରୁ ନୈରାଶ୍ୟ ପ୍ରକଟ କରାଯାଇଥିବାବେଳେ ଅନ୍ୟପଟେ ଭାରତ ସରକାରଙ୍କ ପକ୍ଷରୁ ଏହାକୁ ନେଇ କୌଣସି ବୟାନ ଆସିନାହିଁ ।

 

 

ସମ୍ବନ୍ଧିତ ଖବର