ରାଣେଙ୍କ ଗିରଫକୁ ନେଇ ଝଡ଼: ୨୦ ବର୍ଷରେ ପ୍ରଥମ, ତୃତୀୟ କେନ୍ଦ୍ରମନ୍ତ୍ରୀ ଭାବେ ଗିରଫ

ସେନା- ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଗିରଫକୁ ନେଇ ଆଜି ରାଜ୍ୟ ରାଜନୀତି ଝଡ଼ ସୃଷ୍ଟି ହୋଇଛି। ବିଜେପି ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିବା ବେଳେ ଶିବସେନା ଓ ଏନ୍‌ସିପି ମଧ୍ୟ ରାଣେଙ୍କ ବିରୋଧରେ ତମ୍ବିତୋଫାନ ସୃଷ୍ଟି କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ରାଣେ ଦେଇଥିବା ବିବାଦୀୟ ବୟାନ ପାଇଁ ତାଙ୍କୁ ଆଜି ଗିରଫ ପରେ ବିଭିନ୍ନ ସ୍ଥାନରେ ବିଜେପି ଏବଂ ଶିବସେନା କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ରାଣେ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ କେନ୍ଦ୍ର ମନ୍ତ୍ରୀ ଭାବେ ଗିରଫ ହୋଇଛନ୍ତି।

ଅନ୍ୟପକ୍ଷେ ରାଜ୍ୟ ପୁଲିସ ଦ୍ବାରା ଗିରଫ ହେବାରେ ସେ ତୃତୀୟ କେନ୍ଦ୍ର ମନ୍ତ୍ରୀ। ୨୦୦୧ ଜୁନ୍‌ରେ ଚେନ୍ନାଇ ପୁଲିସ ଏକ ନାଟକୀୟ ଘଟଣାକ୍ରମରେ କେନ୍ଦ୍ରମନ୍ତ୍ରୀ ମୁରାସୋଲି ମାରନ୍‌ ଏବଂ ଟିଆର୍‌ ବାଲୁଙ୍କୁ ରାତିଅଧିଆ ଗିରଫ କରିଥିଲା। ୧୨ କୋଟି ଟଙ୍କ‌ାର ଏକ ଫ୍ଲାଏଓଭର୍‌ ଦୁର୍ନୀତି ମାମଲାରେ ଚେନ୍ନାଇ ପୁଲିସ ପୂର୍ବତନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ସମେତ ମାରନ ଏବଂ ବାଲୁଙ୍କୁ ଗିରଫ କରିଥିଲା। ସେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିଲା। ଗିରଫ ପରେ ରାଣେ କହିଛନ୍ତି, ମହାରାଷ୍ଟ୍ର ସରକାର ତାଙ୍କୁ ଭୟ କରୁଛନ୍ତି। ତେଣୁ ଏଥିପାଇଁ ତାଙ୍କ ବିରୋଧରେ ଏଭଳି ପ୍ରତିଶୋଧପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ଏଭଳି ରାଜନୈତିକ ହିଂସା କରୁଥିବା ସରକାର ତିଷ୍ଠି ରହିବ ନାହିଁ ବୋଲି ସେ କହିଛନ୍ତି।

ରାଣେଙ୍କ ଗିରଫକୁ କଡ଼ା ବିରୋଧ କରିଛନ୍ତି ବିଜେପ ମୁଖ୍ୟ ଜେପି ନଡ୍ଡା। ନଡ୍ଡା କହିଛନ୍ତି, ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କେବଳ ରାଜନୈତିକ ବିବାଦ କାରଣରୁ ମହାରାଷ୍ଟ୍ର ସରକାର ଏଭଳି ଗିରଫ କରାଇବା ସାମ୍ବିଧାନିକ ମୂଲ୍ୟବୋଧର ଅବମାନନା। ଏଭଳି କାର୍ଯ୍ୟ ଦ୍ବାରା ଆମେ ଭୟ କରିବା କିମ୍ବା ଦବି ଯିବା ଉଚିତ ନୁହେଁ ବୋଲି ନଡ୍ଡା କହିଛନ୍ତି। ରାଜ୍ୟରେ ବିରୋଧୀଙ୍କ ସ୍ବରକୁ ଦବାଇବାରେ ମହାରାଷ୍ଟ୍ର ସରକାର ପୁଲିସ କ୍ଷମାତର ଅପବ୍ୟବହାର କରୁଥିବାରୁ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ମଧ୍ୟ ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଶିବସେନା ସାଂସଦ ବିନାୟକ ରାଉତ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ରାଣେ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ। ସେନା କର୍ମୀମାନେ ଆଜି ରାଜାପେଠ ଅଞ୍ଚଳ ସ୍ଥିତ ବିଜେପି ଅଫିସ୍‌ ଭଙ୍ଗାରୁଜା କରିବା ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର