କର୍ଣ୍ଣାଟକ: ସ୍କୁଲ୍‌ ଗେଟ୍‌ ପାଖରେ ଛାତ୍ରୀମାନଙ୍କୁ ହିଜାବ୍‌ ଖୋଲିବାକୁ ନିର୍ଦେଶ

ବେଙ୍ଗାଲୁରୁ: ହାଇକୋର୍ଟଙ୍କ ଆଦେଶ ଅନୁସାରେ, ସ୍କୁଲ୍‌ ପରିସର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଆଜି କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାସ୍ଥିତ ସରକାରୀ ଅନୁଦାନ ପ୍ରାପ୍ତ ଏକ ସ୍କୁଲ୍‌ର ଫାଟକ ପାଖରେ ଛାତ୍ରୀମାନଙ୍କୁ ହିଜାବ୍‌ ଖୋଲିଦେବାକୁ ନିର୍ଦେଶ ଦିଆଯାଇଥିଲା।

ସୂଚନାଯୋଗ୍ୟ, ଗତ ସପ୍ତାହରେ ହାଇକୋର୍ଟ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ରାୟରେ କହିଥିଲେ ଯେ, ଶିକ୍ଷାନୁଷ୍ଠାନ ସବୁ ଖୋଲାଯାଇ ପାରେ କିନ୍ତୁ, କ‌ୌଣସି ଧାର୍ମିକ ବସ୍ତ୍ର ପରିଧାନ କରି ଆସିବାକୁ ଅନୁମତି ମିଳିବ ନାହିଁ।

ସମ୍ବାଦ ସରବରାହ ସଂସ୍ଥାନ ସେୟାର୍‌ କରିଥିବା ଭିଡିଓରେ ଦେଖାଯାଉଛି, ଜଣେ ମହିଳା (ସମ୍ଭବତଃ ଶିକ୍ଷୟିତ୍ରୀ) ହିଜାବ୍‌ ପରିହିତା ଛାତ୍ରୀମାନଙ୍କୁ ସ୍କୁଲ୍‌ ଫାଟକ ସାମ୍ନାରେ ଅଟକାଇବା ପରେ ଜଣକୁ ଆଦେଶ ଦେଇ କହୁଛନ୍ତି, ତାକୁ ଖୋଲିଦିଅ, ତାକୁ ଖୋଲିଦିଅ। ଏହାଛଡ଼ା, ପିଲାମାନଙ୍କୁ ସ୍କୁଲ୍‌ ଫାକଟ ସମ୍ମୁଖରେ ଅଟକା ଯାଉଥିବା ଦେଖି କେତେକ ଅଭିଭାବକ ମଧ୍ୟ ଯୁକ୍ତିତର୍କ କରୁଛନ୍ତି।

Image Courtesy of NDTV

ଗୁଡ଼ାଏ ଯୁକ୍ତିତର୍କ ହେବା ପରେ ଛାତ୍ରୀମାନେ ମୁହଁରୁ ହିଜାବ୍‌ ଖୋଲି କୋଭିଡ୍ ନିୟମାନୁସାରେ ଖାଲି ମାସ୍କ୍‌ ଖଣ୍ଡେ ପିନ୍ଧି ସ୍କୁଲ୍‌ ପରିସରକୁ ପ୍ରବେଶ କରିଥିଲେ।

ସେହିପରି ଉଡୁପୀରେ ଏକ ସରକାରୀ ସ୍କୁଲ୍‌ରେ ଜଣେ ୯ମ ଶ୍ରେଣୀ ଛାତ୍ରୀ ଏବଂ ତାଙ୍କର ଜଣେ କ୍ଲାସ୍‌ମେଟ୍‌ଙ୍କୁ ମଧ୍ୟ ହିଜାବ୍‌ ଓହ୍ଲାଇ ସ୍କୁଲ୍‌ ଭିତରକୁ ଛଡ଼ାଯାଇଛି।

ସୂଚନାଯୋଗ୍ୟ, ହିଜାବ୍‌ ବିବାଦ ପାଇଁ ବନ୍ଦ ଥିବା କର୍ଣ୍ଣାଟକର ସ୍କୁଲ୍‌ (୧୦ମ ଶ୍ରେଣୀ ପର୍ଯ୍ୟନ୍ତ) ଆଜି ଖୋଲିଛି। ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀ ବୁଧବାର ପର୍ଯ୍ୟନ୍ତ ବନ୍ଦ ଅଛି।

ହିଜାବ୍‌ ନିଷେଧାଜ୍ଞା ଉପରେ ହାଇକୋର୍ଟରେ ଦାଏର ହୋଇଥିବା ପିଟିସନ୍‌ଗୁଡ଼ିକର ଶୁଣାଣି ପୁଣି ଦିନ ୨.୩୦ରେ ଆରମ୍ଭ ହେବ।

ସମ୍ବନ୍ଧିତ ଖବର