ଆତ୍ମହତ୍ୟା କରିବାକୁ ଚାହୁଛି କର୍ଣ୍ଣାଟକ ଚାଷୀ ପରିବାର

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମାଗିଲେ ଅନୁମତି

ମହାଲିଙ୍ଗାପୁରା: କର୍ଣ୍ଣାଟକରେ କଂଗ୍ରେସ ଏବଂ ଜନତା ଦଳ ସିକ୍ୟୁଲାର୍‌ (ଜେଡିଏସ୍‌)ର ମେଣ୍ଟ ସରକାର ଆସିବା ପରେ କୃଷିଋଣ ଛାଡ଼ ପାଇଁ ପ୍ରୟାସ ଜାରି ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଖୋଦ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ ଏହି ଯୋଜନାକୁ ନେଇ ସକ୍ରିୟ ଥିବା ବେଳେ କୃଷକମାନଙ୍କୁ ଋଣ ପରିଶୋଧ ବାବଦରେ କୌଣସି ନୋଟିସ୍‌ ନପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏବେ ଅନେକ କୃଷକଙ୍କ ଘରକୁ ବ୍ୟାଙ୍କ ନୋଟିସ୍‌ ପହଞ୍ଚିଛି। ଏହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏମିତି କି ଏକ ଚାଷୀ ପରିବାର ଆତ୍ମହତ୍ୟା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁମତି ମାଗିଛି। ବ୍ୟାଙ୍କଗୁଡ଼ିକର ଋଣ ଅସୁଲ ନୋଟିସ୍‌ ପାଇ ଅତିଷ୍ଠ ହେବା ପରେ ଏହି ପରିବାର ଆତ୍ମହତ୍ୟା କରିବା ଲାଗି ନିଷ୍ପତ୍ତି ନେଇଛି। ମହାଲିଙ୍ଗାପୁରାରେ ରହୁଥିବା ଏହି ଚାଷୀ ପରିବାର ତହସିଲଦାର ଏବଂ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ଅନୁମତି ଦେବାକୁ ଗୁହାରି କରିଛି। ପରିବାର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିବାକୁ ଚାହୁଥିବା ଚିଠିରେ ଦର୍ଶାଯାଇଛି। ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ମଲ୍ଲୱ ୟମନପ୍ପା ନିଙ୍ଗାନୁରା ମହାଲିଙ୍ଗାପୁରାର ଚେନ୍ନମ୍ମା ସର୍କଲ୍‌ରେ ଏକ ଛୋଟ ହୋଟେଲ୍‌ ଚଳାଇବା ସାଙ୍ଗକୁ ନିଜ ଦେଢ଼ଏକର ଜମିରେ ଚାଷ ମଧ୍ୟ କରୁଛନ୍ତି। ନିକଟରେ ସେ ଜାମଖଣ୍ଡି ସହରୀ ସହକାରୀ ବ୍ୟାଙ୍କର ରାବାକାୱି ଶାଖାରୁ ଋଣ ନେଇଥିଲେ। ଏହାକୁ ପରିଶୋଧ କରିବାକୁ ସେ ସମର୍ଥ ହୋଇନଥିଲେ। ଦେଢଏକର ଜମି ପାଇଁ ସେ ୫ ଲକ୍ଷ ଟଙ୍କା ଋଣ ନେଇଥିଲେ। ମଲ୍ଲୱଙ୍କ ସ୍ବାମୀ ୟମନପ୍ପାଙ୍କ ଦେହାନ୍ତ ପରେ ତାଙ୍କ ଉପରେ ପରିବାର ନିର୍ଭର କରୁଛି। ତେଣୁ ଚାଷ ସମେତ ହୋ‌ଟେଲ୍‌ ବି ଚଳାଉଛନ୍ତି। ଏବେ ଋଣ ଅସୁଲ ପାଇଁ ବ୍ୟାଙ୍କ ନୋଟିସ୍‌ ଆସିବାରୁ ପରିବାର ନିଃସହାୟ ହୋଇପଡ଼ି ଆତ୍ମହତ୍ୟା ଲାଗି ଅନୁମତି ଲୋଡ଼ିଛି।

ସମ୍ବନ୍ଧିତ ଖବର