ମୁଁ ଯଦି ଠକ ତେବେ ରାଜ୍ୟସଭା ଆସନର ଅଫର ଦେଇ ମୋଠାରୁ କାହିଁକି ୫୦କୋଟି ନେଇଥିଲ? କେଜ୍ରିୱାଲଙ୍କୁ ସୁକେଶଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଜେଲ୍‌‌ରେ ଥିବା ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଆଉ ଏକ ପତ୍ର ଲେଖିଛନ୍ତି। ପ୍ରଥମ ପତ୍ରରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ମନ୍ତ୍ରୀ ସତ୍ୟେନ୍ଦ୍ର‌ ଜୈନ୍‌ ‌ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ତାଙ୍କ ଠାରୁ ୧୦ କୋଟି ଟଙ୍କା ନେଇଥିଲେ ବୋଲି ଦାବି କରିଥିଲେ ସୁକେଶ। ଏବେ ଦ୍ବିତୀୟ ପତ୍ରରେ ରାଜ୍ୟସଭା ଆସନର ଅଫର ଦେଇ ଆପ୍ ତାଙ୍କଠାରୁ ୫୦କୋଟି ଟଙ୍କା ନେଇଥିବା ଦାବି କରିଛନ୍ତି ସୁକେଶ।

ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଲେଖିଥିବା ଚିଠିରେ ସୁକେଶ କେଜ୍ରିୱାଲଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି। ସୁକେଶ ଚନ୍ଦ୍ରଶେଖର ତାଙ୍କ ଚିଠିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ, ଯଦି ମୁଁ ଦେଶର ସବୁଠୁ ବଡ ଠକ, ତେବେ ଆପଣ ମୋ ଭଳି ଜଣେ ଠକଙ୍କୁ ରାଜ୍ୟସଭା ଆସନ ଅଫର କରି ମୋଠାରୁ ୫୦କୋଟି ଟଙ୍କା କାହିଁକି ନେଇଥିଲେ? ଆପଣ ତ ମୋତେ ଆହୁରି ଅଧିକ ସଂଖ୍ୟକ ବ୍ୟବସାୟୀଙ୍କୁ ଦଳ ସହ ଯୋଡି ୫୦୦କୋଟି ଯୋଗାଡ କରିବାକୁ କହିଥିଲେ। ସେସବୁ କେମିତି ଭୁଲିଗଲେ? ତେବେ ସୁକେଶଙ୍କ ଏଭଳି ଚିଠିକୁ ନେଇ ଏବେ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି।  ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି।

ଏହା ପୂର୍ବରୁ ପ୍ରଥମ ଚିଠିରେ ସୁକେଶ ଲେଖିଥିଲେ,  ‘୨୦୧୭ ମସିହାରେ ମୁଁ ଗିରଫ ହୋଇ ତିହାର ଜେଲ୍‌ରେ ଥିଲି। ସେହି ସମୟରେ ମୁଁ ତତ୍କାଳୀନ ଜେଲ୍‌ ବିଭାଗର ମନ୍ତ୍ରୀ ‌ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଏକାଧିକ ବାର ସାକ୍ଷାତ୍‌ କରିଛି। ୨୦୧୯ ମସିହାରେ ସେ ପୁଣି ଥରେ ମୋତେ ସାକ୍ଷ‌ାତ୍‌ କରିଥିଲେ। ସେ ସମୟରେ ତାଙ୍କ ସେକ୍ରେଟେରି ମୋତେ ଜେଲ୍‌ରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବାକୁ ମାସକୁ ୨ କୋଟି ଟଙ୍କା ମାଗିଥିଲେ। ସୁକେଶଙ୍କ ଓକିଲଙ୍କ ହାତରେ ଭିକେ ସକ୍ସେନାଙ୍କ ନିକଟକୁ ପଠା ଯାଇଥିବା ପତ୍ରରେ ଏସବୁ କଥା ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର