ଦିନକୁ ଦିନ ବଢୁଛି ନାବାଳିକାଙ୍କ ଉପରେ ଯୌନ ନିର୍ଯାତନା : ଘଟଣାକୁ ଗୁରୁତର ସହ ନେଲେ ମାନ୍ୟବର ସୁପ୍ରିମକୋର୍ଟ, ଆସନ୍ତା ସୋମବାର ହେବ ଏହାର ଶୁଣାଣି

ନୂଆଦିଲ୍ଲୀ : ଦିନକୁ ଦିନ ବଢୁଛି ଶିଶୁଙ୍କ ଉପରେ ଶାରୀରିକ ଅତ୍ୟାଚାର। କେବଳ ରାଜ୍ୟ ନୁହେଁ ସାରା ଦେଶରେ ନାବାଳିକାଙ୍କ ଉପରେ ହେଉଛି ଯୌନ ନିର୍ଯାତନା। ଜୀବନ କଣ ଜାଣିବା ଆଗରୁ, ଦୁନିଆ କଣ ଦେଖିବା ଆଗରୁ ସେମାନଙ୍କ ଉପରେ ହେଉଛି ଆଖିବୁଜା ଅତ୍ୟାଚାର। ଯୌନ ପିପାସୁ ରାକ୍ଷସମାନେ କଅଁଳ କଢିଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରୁଛନ୍ତି। ଯୌନ ଲାଳସା ଏତେ ଅଧିକ ହେଉଛି ଯେ ସେମାନେ ୬-୭ ମାସର ଶିଶୁଙ୍କୁ ବି ଛାଡୁ ନାହାନ୍ତି।

ତେବେ ନାବାଳିକା ଦୁଷ୍କର୍ମ ନେଇ ଗଣମାଧ୍ୟମରେ ବାରମ୍ବାର ଅଭିଯୋଗ ହୁଏ। ସବୁ ଦିନ ସବୁ ସମ୍ବାଦ ପତ୍ରରେ ଶିରୋନାମ ପାଲଟେ ନାବାଳିକା ନିର୍ଯାତନା। ତେବେ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ଆଉ ଜାଣିବାକୁ ଚାହିଁଛନ୍ତି ଗତ ୬ ମାସ ମଧ୍ୟରେ ସାରା ଦେଶରେ କେତେ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି ଆଉ କେତେ ମାମଲାରେ କେତେ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ ଘଟଣାକୁ ଗୁରୁତର ସହ ନେଇ ସୁପ୍ରିମକୋର୍ଟ ରେଜଷ୍ଟ୍ରିଙ୍କୁ ଏ ବାବଦରେ ଜଣାଇବାକୁ କହିଥିଲେ। ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ରେଜଷ୍ଟ୍ରି ଅଫିସ ଦେଶର ସବୁ ହାଇକୋର୍ଟରୁ ପରିସଂଖ୍ୟାନ ମାଗିଥିଲେ। ଆଉ ପରିସଂଖ୍ୟାନ ମିଳିବା ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ। ପରିସଂଖ୍ୟାନରେ ଥିଲା କି ୬ ମାସ ମଧ୍ୟରେ ୨୪ ହଜାର ନାବାଳିକାଙ୍କୁ ବଳାତ୍କାର କରାଯାଇଛି । ଚଳିତ ବର୍ଷ ଜାନୁୟାରୀରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସାରା ଭାରତରେ ୨୪ ହଜାର ଶିଶୁଙ୍କ ଯୌନ ଶୋଷଣର ଶିକାର ହୋଇଛନ୍ତି ।

୩୦ ଜୁନ ସୁଦ୍ଧା ଦେଶରେ ୨୪ ହଜାର ୨୧୨ଟି ଦୁଷ୍କର୍ମ ଅଭିଯୋଗ ହୋଇଛି। ସେଥି ମଧ୍ୟରୁ ୧୧ ହଜାର ୯୮୧ଟି ମାମଲାର ଯାଞ୍ଚ ଚାଲିଛି। ୧୨ ହଜାର ୨୩୧ଟି ମାମଲାର ଚାର୍ଜସିଟି ଦାଖଲ ସରିଛି ଏବଂ ୬୪୯୯ଟି ମାମଲାର ଶୁଣାଣି ଆରମ୍ଭ ହୋଇଛି। ସବୁଠାରୁ ବଡ କଥା ହେଉଛି କି ୨୪ ହଜାରରୁ ଅଧିକ ଏଫଆଇଆର ମଧ୍ୟରୁ ମାତ୍ର ୯୧୧ଟି ମାମଲାର ଫଇସଲା ହୋଇଛି।

ତେବେ ନାବାଳିକା ବଳାତ୍କାର କ୍ଷେତ୍ରରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ରହିଛି। ଯୋଗୀ ସରକାରଙ୍କ ରାଜ୍ୟରେ ଗତ ୬ ମାସ ମଧ୍ୟରେ ୩୪୫୭ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଆଉ ଏ ସମସ୍ତ ମାମଲା ମଧ୍ୟରୁ ମାତ୍ର ୧୭୭୯ଟିର ଯାଞ୍ଚ ଚାଲିଛି ଯାହା ୟୁପି ପୁଲିସର ପାରିବା ପଣିଆ ଉପରେ ଆଙ୍ଗୁଠି ଉଠାଇଛି। ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ୨୩୮୯ଟି ମାମଲା ୬ ମାସରେ ରୁଜୁ ହୋଇଛି ଆଉ ସେଠି ୧୮୪୧ଟି କେସରେ ଚାର୍ଜସିଟ ଦାଖଲ କରାଯାଇଛି।

ତେବେ ନାବାଳିକା ବଳାତ୍କାର ସଂଖ୍ୟା ଶୁଣି ସାରା ଦେଶ ଅବାକ ହୋଇଥିବା ବେଳେ ସୁପ୍ରିମକୋର୍ଟରେ ଆସନ୍ତା ସୋମବାର ଏହାର ଶୁଣାଣି ହେବ। ସୋମବାର ଉକ୍ତ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି, ଏକ ବଡ ରାୟ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ୬ ମାସରେ ଏଭଳି ପାଶବିକ ଘଟଣାକୁ ସମସ୍ତେ ଛି…ଛି କରିଛନ୍ତି।

ସମ୍ବନ୍ଧିତ ଖବର