ପୁରୁଷ ଅଧିକାରୀଙ୍କ ପଦୋନ୍ନତି ପାଇଁ ସ୍ବତନ୍ତ୍ର ସିଲେକ୍ସନ ବୋର୍ଡକୁ ନେଇ ସେନାକୁ ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୨୨/୧୧: ୨୦୨୧ ମାର୍ଚ୍ଚ ୨୫ରେ ସୁପ୍ରିମ୍‌କୋର୍ଟ ସେନାରେ ମହିଳାମାନେ ପର୍ମାନେଣ୍ଟ କମିସନ (ପଦୋନ୍ନତି ସହ ସ୍ଥାୟୀ ଚାକିରି) ପାଇଁ ଯୋଗ୍ୟ ବୋଲି ରାୟ ଦେଇଥିଲେ। କିନ୍ତୁ ଭାରତୀୟ ସେନା ଏହି ଆଦେଶକୁ ପାଳନ କରିନାହିଁ। ସେନା ପୁରୁଷଙ୍କ ପଦୋନ୍ନତି ପାଇଁ ସ୍ବତନ୍ତ୍ର ସିଲେକ୍ସନ ବୋର୍ଡ ଗଠନ କରୁଥିବା ବେଳେ ମହିଳାଙ୍କ ପାଇଁ କାହିଁକି କରୁ ନାହାନ୍ତି ବୋଲି ସୁପ୍ରିମ୍‌କୋର୍ଟ ପକ୍ଷରୁ ସୋମବାର ପ୍ରଶ୍ନ କରାଯାଇଛି।
ବରିଷ୍ଠ ଓକିଲ ଭି ମୋହନା କହିଲେ ଯେ, ମହିଳା ସର୍ଟ ସର୍ଭିସ କମିସନ ଅଫିସରମାନେ ସୁପ୍ରିମ୍‌କୋର୍ଟଙ୍କ ରାୟର ଲାଭ ପାଇପାରିବେ ନାହିଁ। କାରଣ କେବଳ ପୁରୁଷ ଅଧିକାରୀଙ୍କ ପଦୋନ୍ନତି ପାଇଁ ସିଲେକ୍ସନ ବୋର୍ଡ ଗଠନ କରାଯାଇଛି।

ଏହାପରେ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ବେଞ୍ଚ ସେନାର ଓକିଲ ଆର୍ ବାଲସୁବ୍ରମଣ୍ୟମ୍‌ଙ୍କ ପ୍ରଶ୍ନ କଲେ- କାହିଁକି ପୁରୁଷଙ୍କ ପଦୋନ୍ନତି ପାଇଁ ବୋର୍ଡ ବସାଉଛ, ମହିଳାଙ୍କ ପାଇଁ ନୁହେଁ? ଏହାର ଉତ୍ତର ଦେବା ପାଇଁ ସୁବ୍ରମଣ୍ୟମ୍ ଦୁଇ ସପ୍ତାହ ସମୟ ମାଗିଛନ୍ତି। ସେ କହିଲେ ଯେ ୧୫୦ଟି ଅତିରିକ୍ତ ଶୂନ୍ୟସ୍ଥାନ ପୂରଣ ପାଇଁ ଅର୍ଥ ମନ୍ତ୍ରଣାଳୟର କ୍ଳିୟରାନ୍ସ ମିଳିବା ଦରକାର। ଏହାପରେ ମୋହନା ପ୍ରଶ୍ନ କଲେ- କେବଳ ଆମ (ମହିଳାଙ୍କ) ପାଇଁ ଅର୍ଥ ମନ୍ତ୍ରଣାଳୟର କ୍ଳିୟରାନ୍ସ ଦରକାର, କିନ୍ତୁ ପୁରୁଷ ଅଧିକାରୀଙ୍କ ପାଇଁ କୌଣସି ଅତିରିକ୍ତ ଶୂନ୍ୟସ୍ଥାନର ଆବଶ୍ୟକତା ନାହିଁ? ଏହାପରେ ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼ ସେନାର ଓକିଲଙ୍କୁ କହିଲେ- ପୁରୁଷ ଅଧିକାରୀଙ୍କ ନିଯୁକ୍ତି ପାଇଁ କୌଣସି ସ୍ବତନ୍ତ୍ର ସିଲେକ୍ସନ ବୋର୍ଡ କର ନାହିଁ। ଏହାଦ୍ବାରା ସେମାନେ ଶୀଘ୍ର ବରିଷ୍ଠତା ଲାଭ କରିବେ ଏବଂ ମହିଳାମାନେ ପାଇବାକୁ ଥିବା ବରିଷ୍ଠ ପଦପଦବି ହାସଲ କରିନେବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୫ରେ ହେବ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର