ଦେଶର ୧୨ଟି ହାଇକୋର୍ଟରେ ନିଯୁକ୍ତି ପାଇଁ ୬୮ଜଣ ବିଚାରପତିଙ୍କ ନାମ ସୁପାରିସ କଲେ ସୁପ୍ରିମ୍‌ କୋର୍ଟ ‘କଲିଜିୟମ୍’

ନୂଆଦିଲ୍ଲୀ: ଦେଶର ୧୨ଟି ହାଇକୋର୍ଟରେ ବିଚାରପତି ନିଯୁକ୍ତି ନିମନ୍ତେ ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ବାଧୀନ ତିନି ସଦସ୍ୟବିଶିଷ୍ଟ ‘ସୁପ୍ରିମ୍‌ କୋର୍ଟ କଲିଜିୟମ୍‌’ ୬୮ଜଣଙ୍କ ନାମ ସୁପାରିସ କରିଛି।

ଆହ୍ଲାବାଦ, ରାଜସ୍ଥାନ, କାଲ୍‌କାଟା, ଝାଡ଼ଖଣ୍ଡ, ଜମ୍ମୁ ଓ କଶ୍ମୀର, ମାଡ୍ରାସ୍‌, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ ଏବଂ ହରିୟାଣା, କେରଳ, ଛତିଶଗଡ଼ ଏବଂ ଆସାମ ହାଇକୋର୍ଟରେ ଉପରୋକ୍ତ ବିଚାରପତିମାନେ ନିଯୁକ୍ତ ହେବେ।

ଏଥିନିମନ୍ତେ ଅଗଷ୍ଟ ୨୫ ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଅନୁଷ୍ଠିତ ବୈଠକରେ ‘ବାର୍‌’ରୁ ୮୨ଜଣ ଏବଂ ‘ଜୁଡିସିଆଲ୍‌ ସର୍ଭିସ୍‌’ରୁ ୩୧ଜଣଙ୍କ ମଧ୍ୟରୁ ‘କଲିଜିୟମ୍‌’ ସମୁଦାୟ ୧୧୨ଜଣଙ୍କ ନାମ ବିଚାରକୁ ନେଇଥିଲା। ଉପରୋକ୍ତ ୧୨ ହାଇକୋର୍ଟ ନିମନ୍ତେ ନାମ ଚୂଡ଼ାନ୍ତ ହୋଇଥିବା ବିଚାରପତିମାନଙ୍କ ମଧ୍ୟରୁ ୪୪ଜଣ ‘ବାର୍‌’ର ହୋଇଥିବା ବେଳେ ୨୪ଜଣ ହେଉଛନ୍ତି ‘ଜୁଡିସିଆଲ୍‌ ସର୍ଭିସ୍‌’ର।

Image Courtesy of Lokmat

ଉପରୋକ୍ତ ସୁପାରିସରେ ବି ଇତିହାସରେ ସ୍ମରଣୀୟ ହେବାପରି ନିଷ୍ପତ୍ତି ରହିଛି। ଏଥିରେ ଅନୁସୂଚିତ ଜନଜାତିର ମାର୍ଲି ବନ୍‌କୁଙ୍ଗ୍‌ ନାମରେ ଜଣେ ମହିଳା ବିଚାର ବିଭାଗୀୟ ଅଧିକାରୀଙ୍କୁ ‘କଲିଜିୟମ୍‌’ ଗୌହାଟି ହାଇକୋର୍ଟରେ ନିଯୁକ୍ତି ପାଇଁ ସୁପାରିସ କରିଛି। ଏହି ସୁପାରିସରେ ସମୁଦାୟ ୧୦ଜଣ ମହିଳାଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବାକୁ କୁହାଯାଇଛି।

ଏହା ବ୍ୟତିରେକେ, ‘କଲିଜିୟମ୍‌’ ବୈଠକରେ ବିଚାରାଧୀନ ଥିବା ଆହୁରି ୧୬ଜଣ ବିଚାରପତିଙ୍କ ସମ୍ବନ୍ଧରେ ଅଧିକ ବିବରଣୀ ମଗାଯାଇଛି। ସୁପ୍ରିମକୋର୍ଟ କଲିଜିୟମରେ ପ୍ରଧାନ ବିଚାରପତି ରମନାଙ୍କ ସହ ବିଚାରପତି  ୟୁ. ୟୁ. ଲଳିତ ଏବଂ  ବିଚାରପତି ଏ. ଏମ୍‌. ଖାନ୍‌ୱିଲ୍‌କର୍ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର