ସୁଷମାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ଲାଗି ବିଜେପି ମୁଖ୍ୟାଳୟରେ ରଖାଯିବ, ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଳୀ: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କର ଗତ ରାତିରେ  ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି।  ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ବହୁ ମନ୍ତ୍ରୀ ଓ ନେତା ଶେଷ ଦର୍ଶନ ପାଇଁ ଏମ୍‌ସରେ ପହଞ୍ଚିଥିଲେ। ଏହାପରେ ତାଙ୍କର ମରଶରୀରକୁ ତାଙ୍କର ଦିଲ୍ଲୀ ବାସଭବନକୁ ଅଣାଯାଇଥିଲା। ସେଠାରେ ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ।

ସୂଚନା ଅନୁସାରେ, ସୁଷମାଙ୍କ ପାର୍ଥିକ ଶରୀରକୁ ଦଳୀୟ ନେତା ଓ କର୍ମୀଙ୍କ ଶେଷ ଦର୍ଶନ ଲାଗି ଦିନ ୧୨ଟା ବେଳକୁ  ବିଜେପି ମୁଖ୍ୟାଳୟକୁ ଅଣାଯିବ। ସେଠାରେ ଅପରାହ୍ଣ  ୩ଟା ପର୍ଯ୍ୟନ୍ତ ରଖାଯିବ ଓ ସାଧାରଣ ଜନତା ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।  ଏହାପରେ ଆଜି ଅପରାହ୍ନରେ ଲୋଧି ରୋଡ଼୍ ସ୍ଥିତ ଶବଦାହ ଗୃହରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ସୁଷମାଙ୍କ ଅନ୍ତିମ ସଂସ୍କାର କରାଯିବ।

ମଙ୍ଗଳବାର ରାତିରେ ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା । ପ୍ରଥମେ ଖବର ଆସିଥିଲା ସୁଷମାଙ୍କ ଅବସ୍ଥା ଗୁରୁତର ରହିଛି । ଖବର ପାଇ ବରିଷ୍ଠ ବିଜେପି ନେତା ନୀତିନ୍ ଗଡକରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ପହଂଚିଥିଲେ । ତେବେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା । ସୁଷମାଙ୍କ ପରଲୋକ ଖବର ପ୍ରସାରିତ ହେବା ମାତ୍ରେ ଦିଲ୍ଲୀ ଏମ୍ସକୁ ଛୁଟିଥିଲା ନେତା ଓ କର୍ମୀଙ୍କ ସୁଅ । ରାତିରେ ଦିଲ୍ଲୀ ଏମ୍ସରୁ ସୁଷମାଙ୍କ ମରଶରୀରକୁ ତାଙ୍କର ଦିଲ୍ଲୀସ୍ଥିତ ବାସଭବନକୁ ନିଆଯାଇଥିଲା ।

ସମ୍ବନ୍ଧିତ ଖବର