ସାଢେ ୪ କିଲୋ ସୁନା ପିନ୍ଧି ନିର୍ବାଚନ ମୈଦାନକୁ ଓହ୍ଲାଇଲେ ତାମିଲନାଡ଼ୁର ଏହି ବ୍ୟକ୍ତି

ଚେନ୍ନାଇ : ତାମିଲନାଡ଼ୁର ଅଲନଗୁଲମ ବିଧାନସଭା ନିର୍ବାଚନ ପାଇଁ ଆଜି ଜଣେ ସ୍ବାଧୀନ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି ।  ତାଙ୍କ ନାଁ ହେଉଛି ହରି ନାଦର । କିନ୍ତୁ ଅଜବ କଥା ହେଉଛି ସେ ନିଜର ମନୋନୟନ ପତ୍ର ଦାଖଲ କରିବାବେଳେ ପ୍ରାୟ ସାଢେ ୪ କିଲୋଗ୍ରାମ ସୁନା ଅଳଙ୍କାର ପିନ୍ଧିଥିଲେ ।

image credit : Twitter

ନିଜର ମନୋନୟନ ପତ୍ରରେ ସେ ଦର୍ଶାଇଛନ୍ତି ଯେ ତାଙ୍କ ପାଖରେ ପ୍ରାୟ ୧୧ ହଜାର ୨ ଶହ ଗ୍ରାମ ସୁନା ଅଳଙ୍କାର ରହିଛି । ତାଙ୍କର ପ୍ରାୟ ୧୧ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବାବେଳେ ପ୍ରାୟ ୧୨ କୋଟି ୬୧ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ତାଙ୍କ ପାଖରେ ଗୋଟିଏ ଫର୍ଚୁନର, ଗୋଟିଏ ଇନୋଭା ସମେତ ମୋଟ ୫ଟି ଗାଡ଼ି ରହିଛି । ନିଜ ମନୋନୟନ ପତ୍ରରେ ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ତାଙ୍କ ନାଁରେ ୧୫ଟି ଅପରାଧିକ ମାମଲା ରହିଛି।

ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ପିଲାବେଳୁ ତାଙ୍କର ସୁନା ପ୍ରତି ଦୁର୍ବଳତା ରହିଆସିଛି । ଏଣୁ ସେ ଏତେ ପରିମାଣର ସୁନା ପିନ୍ଧିଥାନ୍ତି । କିନ୍ତୁ ଏସବୁ ସୁନା ସେ ନିଜର ପରିଶ୍ରମ ଅର୍ଜିତ ଧନରୁ କିଣିଛନ୍ତି । ତାଙ୍କର ଟ୍ରାଭେଲ ଏଜେନ୍ସି, ରିଅଲ ଇଷ୍ଟେଟ ଓ ଫିଲ୍ମରେ ଅର୍ଥ ଲାଗାଣ ବ୍ୟବସାୟ ରହିଛି ।

ସମ୍ବନ୍ଧିତ ଖବର