ପଦାକୁ ଆସିଲା ପାକିସ୍ତାନର ଆଉ ଏକ କାରନାମା: ଡ୍ରୋନରୁ ସୀମାରେ ଅସ୍ତ୍ର ଖସାଉଛି
ପଞ୍ଜାବ ମୁଖ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ
ଅମୃତସର: ପାକିସ୍ତାନର ଆଉ ଏକ କଳା କାରନାମା ପଦାକୁ ଆସିଛି। ଭାରତ ବିରୋଧରେ ଏହି ଦେଶ ତାର ଆତଙ୍କବାଦୀ କାର୍ଯ୍ୟ ଜାରି ରଖିଛି। ପଞ୍ଜାବ ସୀମାରେ ଡ୍ରୋନରୁ ଅସ୍ତ୍ରଶସ୍ତ୍ର ଖସାଉଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରବିବାର ଭାରତୀୟ ବାୟୁସେନା ଏବଂ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)କୁ ପାକିସ୍ତାନର ଏଭଳି କାର୍ଯ୍ୟ ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ନିକଟରେ ଦାବି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପଞ୍ଜାବ ପୁଲିସ ପକ୍ଷରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ପାକିସ୍ତାନ ଏଭଳି କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବାର ପ୍ରମାଣ ମିଳିଛି। ଡ୍ରୋନକୁ ଉପଯୋଗ କରି ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଅସ୍ତ୍ରଶସ୍ତ୍ର ଏବଂ ଯୋଗାଯୋଗ ଉପକରଣ ପଞ୍ଜାବ ପ୍ରଦେଶ ମଧ୍ୟରେ ଆକାଶ ମାର୍ଗରୁ ତଳକୁ ଖସାଉଛି। ଆଗାମୀ ଦିନରେ ପାକିସ୍ତାନର ଏପରି କାର୍ଯ୍ୟକୁ ରୋକିବା ପାଇଁ ଭାରତ ସରକାର ଭାରତୀୟ ବାୟୁସେନା ଏବଂ ବିଏସ୍ଏଫ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ବିବୃତିରୁ ଏହା ଜଣାଯାଇଛି।
ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ ଦିନକର ଗୁପ୍ତା କହିଛନ୍ତି, ପାକିସ୍ତାନ ପକ୍ଷରୁ ସୀମାରେ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପକାଯାଉଛି। ଆଇଏସଆଇ, ପାକ୍ ପ୍ରାୟୋଜିତ ଜିହାଦୀ ସଂଗଠନ ଏବଂ ଖଲିସ୍ତାନ ସପକ୍ଷବାଦୀ ଆତଙ୍କବାଦୀ ସଂଗଠନ ମାଧ୍ୟମରେ ପାକିସ୍ତାନ ଏଭଳି କାର୍ଯ୍ୟ ଚଳାଇଥିବା କୁହାଯାଉଛି। ପାକିସ୍ତାନ ଏବଂ ଜର୍ମାନୀ ଭିତ୍ତିକ ଆତଙ୍କବାଦୀ ସଂଗଠନର ସହାୟତା ପାଉଥିବା ଖଲିସ୍ତାନ ଜିନ୍ଦାବାଦ ଫୋର୍ସ (କେଜେଡ୍ଏଫ୍)ର ଆକ୍ରମଣ ଯୋଜନା ସମ୍ପର୍କରେ ରାଜ୍ୟ ପୁଲିସ ଜାଣିବା ପରେ ଏଭଳି ଘଟଣା ପଦାକୁ ଆସିଛି। ଏମାନେ ପଞ୍ଜାବ ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଆକ୍ରମଣ ଯୋଜନା ଚଳାଇଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ୫ଟି ଏକେ-୪୭ ରାଇଫଲ, ପିସ୍ତଲ, ସାଟେଲାଇଟ୍ ଫୋନ୍ ଏବଂ ହ୍ୟାଣ୍ଡ ଗ୍ରିନେଡ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପାଇଛି। ଅଧିକ ତଦନ୍ତ ପାଇଁ ପଞ୍ଜାବ ପୁଲିସ ଏହି ମାମଲାକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରିଛି।