ଆଇଏନଏସ ବିକ୍ରାନ୍ତ ଭାରତୀୟ ନୌସେନା ସେବାରେ ସମର୍ପିତ ହେବା ପରେ ବଦଳିଯିବ କ୍ଷମତା ସନ୍ତୁଳନ

ନୂଆଦିଲ୍ଲୀ : ଆଇଏନଏସ ବିକ୍ରାନ୍ତ ଆଜିଠାରୁ ଭାରତୀୟ ନୌସେନା ସେବାରେ ସମର୍ପିତ ହେବା ପରେ ଭାରତ ମହାସାଗରରେ କ୍ଷମତା ସନ୍ତୁଳନ ବଦଳିଯିବ ବୋଲି ରଣନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି। ବିଭିନ୍ନ ଶ୍ରେଣୀର ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରୟୋଗଠାରୁ ଆରମ୍ଭ କରି ଯୁଦ୍ଧ ବିମାନ ମୁତୟନ କ୍ଷେତ୍ରରେ ବିଶାଳ ସାମର୍ଥ୍ୟ ରଖୁଥିବା ବିକ୍ରାନ୍ତ ଏକ ଗେମ୍‌ ଚେଞ୍ଜର୍‌ ସାବ୍ୟସ୍ତ ହେବ।

ବିଗତ ୧୦ ବର୍ଷ ଭିତରେ ଚୀନ୍‌ ୩ଟି ବିମାନବାହକ ଯୁଦ୍ଧପୋତ ନୌସେନାରେ ସାମିଲ କରିଛି। ଚୀନ୍‌ର ପ୍ରଥମ ଏୟାରକ୍ରାଫ୍‌ଟ କ୍ୟାରିଅର ଲିୟାଓନିଂ ୨୦୧୨ରେ ଆସିଥିଲା। ୨୦୧୨ରେ ଅନ୍ୟ ଏକ ଯୁଦ୍ଧପୋତ ସେଡୋଙ୍ଗ ଏବଂ ଚଳିତ ବର୍ଷ ଆଉ ଏକ ବିମାନବାହକ ଯୁଦ୍ଧପୋତ ଫୁଜିୟାନକୁ ଚୀନ୍‌ ସାମିଲ କରିଥିଲା। ବିଶ୍ବରେ ସର୍ବାଧିକ ବିମାନବାହକ ଯୁଦ୍ଧପୋତ ଆମେରିକା ପାଖରେ ରହିଛି। ଆମେରିକା ପାଖରେ ୧୧ଟି ବିମାନବାହୀ ଯୁଦ୍ଧପୋତ ରହିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତକୁ ଆଇଏନଏସ ବିକ୍ରାନ୍ତ ଶ୍ରେଣୀର ଆଉଏକ ଯୁଦ୍ଧପୋତ ଆବଶ୍ୟକ। ଭାରତ ମହାସାଗରରେ ଚୀନ୍‌ ପଟୁ ଆସୁଥିବା ସବୁ ଚ୍ୟାଲେଂଜର ସମ୍ମୁଖୀନ ‌ହେବା ପାଇଁ ଏହା ଦେଶ ପାଇଁ ଅତି ଜରୁରୀ ବୋଲି ମତପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପାକିସ୍ତାନ ପାଖରେ ଗୋଟିଏ ବି ବିମାନବାହୀ ଯୁଦ୍ଧପୋତ ନାହିଁ। ଭାରତ ମହାସାଗରରେ ଚୀନ୍‌ ନିଜର ଶକ୍ତି ବିସ୍ତାର କରିଚାଲିଛି ଏବଂ ୨୦୪୯ ସୁଦ୍ଧା ବିଶ୍ବର ସବୁଠାରୁ ଶକ୍ତିଶାଳୀ ନୌସେନା ହେବାର ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର