ବାଟ୍‌ଲା ହାଉସ୍‌ ଏନକାଉଣ୍ଟର ମାମଲା: ଦୋଷୀ ଆରିଜ୍‌ ଖାନ୍‌କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ : ୨୦୦୮ ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟର୍‌ ମାମଲାରେ ଦୋଷୀ ଆରିଜ ଖାନ୍‌କୁ ଆଜି ମୃତ୍ୟୁଦଣ୍ଡ ମିଳିଛି। ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖାର ଇନ୍ସପେକ୍ଟର ‌ମୋହନ ଚାନ୍ଦ ଶର୍ମାଙ୍କୁ ହତ୍ୟା କରିଥିବା ମାମଲାରେ ଗତ ମାର୍ଚ୍ଚ ୮ ତାରିଖରେ ଆରିଜ ଖାନ୍‌କୁ ଦିଲ୍ଲୀ କୋର୍ଟ ଦୋଷୀସାବ୍ୟସ୍ତ କରିଥିଲେ। ତେବେ ଏହି ମାମଲାରେ କୋର୍ଟ ଆଜି ଆରିଜକୁ ମୃତ୍ୟୁଦଣ୍ଡ ଦେବା ସହ ୧୧ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। କୋର୍ଟ ଏହି ମାମଲାକୁ ବିରଳରୁ ଅତି ବିରଳ ବୋଲି କହିଛନ୍ତି। ୧୦ ଲକ୍ଷ ଟଙ୍କା ତୁରନ୍ତ ଇନ୍ସପେକ୍ଟରଙ୍କ ପରିବାର ସଦସ୍ୟଙ୍କୁ ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ୨୦୧୩ରେ ଆରିଜ୍‌ର ସହ‌ଯୋଗୀ ଶେହଜାଦ ବାଟ୍‌ଲା ହ‌ାଉସ୍‌ ଏନ୍‌କାଉଣ୍ଟର ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲା ଏବଂ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

୨୦୦୮ରେ ଦିଲ୍ଲୀରେ ସିରିଜ୍‌ ବୋମା ବିସ୍ଫୋରଣ ହୋଇ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ସିରିଜ୍‌ ବୋମା ବିସ୍ଫୋରଣର ସପ୍ତାହକ ମଧ୍ୟରେ ଦିଲ୍ଲୀର ଜାମିଆ ନଗର ସ୍ଥିତ ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟର ହୋଇଥିଲା। ସେ‌ପ୍ଟେମ୍ବର ୧୯ରେ ଦିଲ୍ଲୀ ପୁଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ଏହି ଏନ୍‌କାଉଣ୍ଟର୍‌ ସମୟରେ ପୁଲିସ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମା ଗୁଳିମାଡ଼ର ଶିକାର ହୋଇ ପ୍ରାଣ ହରାଇଥିଲେ। ପୁଲିସ ରିପୋର୍ଟ ମୁତାବକ, ଖାନ୍‌ ବାଟ୍‌ଲା ହାଉସ୍‌‌ରେ ଅନ୍ୟ ୪ ଆତଙ୍କବାଦୀଙ୍କ ସହ ଉପସ୍ଥିତ ଥିଲା। ସମସ୍ତେ ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ର ସଦସ୍ୟ ଥିଲେ। ଏନ୍‌କାଉଣ୍ଟର୍‌ ସମୟରେ ୨ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଅନ୍ୟ ୨ ଜଣ ଗିରଫ ‌ହୋଇଥିଲେ। ତେବେ ଉତ୍ତରପ୍ରଦେଶର ଆଜମଗଡ଼ ବାସିନ୍ଦା ଆରିଜ ଖାନ୍‌ ଖସି ପଳାଇଥିଲା। ଖାନ୍‌ ଫେବ୍ରୁଆରି ୨୦୧୮ରେ ଗିରଫ ହୋଇଥିଲା। ଖାନ୍‌ ମଧ୍ୟ ୨୦୦୮‌ରେ ଦିଲ୍ଲୀ ରାଜସ୍ଥାନ, ଗୁଜରାଟ ଏବଂ ଉତ୍ତରପ୍ରଦେଶରେ ହୋଇଥିବା ସିରିଜ୍‌ ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ୍‌ ଥିଲା।

ସମ୍ବନ୍ଧିତ ଖବର