କଂଗ୍ରେସ ପାଇଁ ‘ଜି-୩’ ବି ବଡ଼ ସମସ୍ୟା

ନୂଆଦିଲ୍ଲୀ: ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ଏବେ ବଡ଼ ଧରଣର ସଙ୍କଟ ଦେଇ ଗତି କରୁଛି। ଦଳର ଦୁର୍ବଳ ନେତୃତ୍ବ, ଆଭ୍ୟନ୍ତରୀଣ କଳହ ଏବଂ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଶୋଚନୀୟ ପରାଜୟ କଂଗ୍ରେସର ଗୁରୁତ୍ବକୁ ଗୌଣ କରିଦେଇଛି। ଏଭଳି ସ୍ଥିତିରେ ଜି-୨୩ ଭାବେ ପରିଚିତ କଂଗ୍ରେସର ବରିଷ୍ଠ ଅସନ୍ତୁଷ୍ଟ ନେତାଗଣ ମଧ୍ୟ ଦଳକୁ ଖୋଲାଖୋଲି ସମାଲୋଚନା ଜାରି ରଖିଛନ୍ତି। ଦଳର ନେତୃତ୍ବ ପରିବର୍ତ୍ତନ ଓ ବଡ଼ ଧରଣର ସାଂଗଠନିକ ଅଦଳବଦଳ ଦାବି କରୁଥିବା କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ ଅପେକ୍ଷା ଏବେ ଜି-୩ରୁ ମଧ୍ୟ ବଡ଼ ଚ୍ୟାଲେଂଜ ଆସିଛି। ଏହି ୩ ନେତା ହେଲେ ମମତା ବାନାର୍ଜୀ, ଶରଦ ପାୱାର ଏବଂ ଜଗନ ରେଡ୍ଡି। ଏହି ନେତାମାନେ ଏକଦା କଂଗ୍ରେସରୁ ଅଲଗା ହୋଇଯାଇଥିଲେ ଏବଂ ସେମାନଙ୍କ ଦଳ ଏବେ କଂଗ୍ରେସଠାରୁ ବଡ଼ ହୋଇ ଉଭା ହୋଇଛି। ଏହି ୩ ନେତା କଂଗ୍ରେସକୁ ନିଜ ନିଜ ରାଜ୍ୟରେ ଆଉ ପ୍ରାଧାନ୍ୟ ଦେଉନାହାନ୍ତି।

୧୯୯୮ରେ ମମତା ବାନାର୍ଜୀ କଂଗ୍ରେସରୁ ଅଲଗା ହୋଇି ଟିଏମ୍‌ସି ଗଠନ କରିଥିଲେ। ୨୦୧୧ ବିଧାନସଭା ନିର୍ବାଚନରେ ଟିଏମ୍‌ସି-କଂଗ୍ରେସ ମେଣ୍ଟ ବାମଦଳ ସରକାରକୁ ହରାଇଥିଲା। ତେବେ ଏହି ସମୟ ମଧ୍ୟରେ ଟିଏମ୍‌ସି ନିଜ ସ୍ଥିତି ମଜବୁତ କରିଥିବା ବେଳେ କଂଗ୍ରେସ ଦୁର୍ବଳ ହୋଇ ଚାଲିଲି। ୨୦୧୪ ନିର୍ବାଚନରେ ଟିଏମ୍‌ସି କଂଗ୍ରେସ ସହ ସଂପର୍କ ଛିନ୍ନ କରି ଏକାକୀ ନିର୍ବାଚନ ଲଢ଼ିଥିଲା ଏବଂ ୪୨ରୁ ୩୪ ଲୋକସଭା ଆସନରେ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ କଂଗ୍ରେସର ଆସନ ସଂଖ୍ୟା ୪ରେ ସୀମିତ ରହିଥିଲା। ଏବେ ୨୦୨୧ ନିର୍ବାଚନରେ ଏକ ପ୍ରକାର ଅସହାୟ ସ୍ଥିତିରେ କଂଗ୍ରେସ ପଶ୍ଚିମବଂଗରେ ବାମଦଳ ଏବଂ ଅନ୍ୟ ଆଂଚଳିକ ଦଳ ସହ ମେଣ୍ଟ କରିଛି। ତେବେ ଅତି ଦୁର୍ବଳ ସଂଗଠନ ଯୋଗୁଁ କଂଗ୍ରେସକୁ ମମତା ପ୍ରତ୍ୟାଖ୍ୟାନ କରିଛନ୍ତି। ବିଭିନ୍ନ ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିବାକୁ ଅନ୍ୟ ବିରୋଧୀ ଦଳ ତଥା ଆଞ୍ଚଳିକ ଦଳମାନେ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି। ଯଦି ଭବିଷ୍ୟତରେ କଂଗ୍ରେସ ପଶ୍ଚିମବଂଗରେ ଟିଏମ୍‌ସି, ମହାରାଷ୍ଟ୍ରରେ ଏନ୍‌ସିପି ଏବଂ ଆନ୍ଧ୍ର ପ୍ରଦେଶରେ ଜଗନଙ୍କ ଦଳ ୱାଇଏସ୍‌ଆର୍‌ କଂଗ୍ରେସ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିବ ତା’ହେଲେ ହିଁ ଏସବୁ ରାଜ୍ୟରେ ବିଜେପିକୁ କିଛି ମାତ୍ରାରେ ଟକ୍କର ଦେଇପାରିବ। ତେବେ କଂଗ୍ରେସକୁ ଗୁରୁତ୍ବପୂର୍ଣ୍ଣ ମେଣ୍ଟ ସହଯୋଗୀ ଭାବେ ଗ୍ରହଣ କରିବାକୁ କଂଗ୍ରେସରୁ ହିଁ ଯାଇଥିବା ନେତାମାନେ ଚାହୁନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର