ପଶ୍ଚିମବଙ୍ଗ ବିଧାନସଭା ଅଧିବେଶନକୁ ସ୍ଥଗିତ ରଖିଲେ ରାଜ୍ୟପାଳ: ଟିଏମ୍‌ସି କହିଲା ଅଭୂତପୂର୍ବ

କୋଲକାତା: ପଶ୍ଚମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ଆଜିଠାରୁ (ଶନିବାର) ରାଜ୍ୟ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ଘୋଷଣା କରିଛନ୍ତି। ତାଙ୍କ ବିନା ଅନୁମତିରେ ବିଧାନସଭା ଅଧିବେଶନ ଡକାଯାଇପାରିବ ନାହିଁ ବୋଲି ରାଜ୍ୟପାଳ କହିଛନ୍ତି। ଆଗାମୀ ସପ୍ତାହରେ ବିଧାନସଭାର ବଜେଟ୍‌ ଅଧିବେଶନ ଥିବା ବେଳେ ରାଜ୍ୟପାଳଙ୍କ ଏହି ନିଷ୍ପତ୍ତି ରାଜନୀତି ମହଲରେ ସରଗରମ ସ୍ଥିତି ସୃଷ୍ଟି କରିଛି ଏବଂ ଟିଏମ୍‌ସି ଏହାକୁ ଏକ ଅଭୂତପୂର୍ବ ଘଟଣା ବୋଲି କହିଛି। ରାଜ୍ୟପାଳ ଧନଖଡ଼ ଓ ମମତା ବାନାର୍ଜୀ ସରକାର ଭିତରେ ଦୀର୍ଘଦିନ ହେଲା ମୁହାଁମୁହିଁ ସ୍ଥିତି ଲାଗି ରହିଛି। ତେବେ ଆଜି ରାଜ୍ୟପାଳ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ତାଙ୍କ ଆଦେଶକ୍ରମେ ପଶ୍ଚିମବଙ୍ଗ ବିଧାନସଭା ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି। ରାଜ୍ୟପାଳ ସ୍ବୟଂ ଏହି ଆଦେଶ ସମ୍ପର୍କରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏଥିରେ ଧନଖଡ଼ କହିଛନ୍ତି ଯେ ଭାରତୀୟ ସମ୍ବିଧାନର ଧାରା ୧୭୪ (୨)(କ) ଅନୁସାରେ ବିଧାନସଭାକୁ ନ ଭାଙ୍ଗି ସେ ଏହାକୁ ସ୍ଥଗିତ କରିଛନ୍ତି। ଏହି ଆଦେଶର ଅର୍ଥ ହେଉଛି ଏହାପରେ ରାଜ୍ୟପାଳ ଅନୁମତି ଦେଲେ ହିଁ ବିଧାନସଭା ଅଧିବେଶନ ଚାଲିପାରିବ। ଅପରପକ୍ଷେ ରାଜ୍ୟପାଳଙ୍କ ଏ ପଦକ୍ଷେପକୁ ତୃଣମୂଳ କଂଗ୍ରେସ ଅସାମ୍ବିଧାନିକ ବୋଲି କହିଛି। ତୃଣମୂଳ କଂଗ୍ରେସର ପ୍ରବକ୍ତା ଓ ବରିଷ୍ଠ ସାଂସଦ ସୌଗତ ରାୟ କହିଛନ୍ତି, ରାଜ୍ୟପାଳ କ୍ରମାଗତଭାବେ ଅସାମ୍ବିଧାନିକ କାମ କରିଆସୁଛନ୍ତି। ସେ ବିଧାନସଭା ଅଧିବେଶନକୁ ସ୍ଥଗିତ ରଖିବାକୁ ଯେଉଁ ଆଦେଶ ଦେଇଛନ୍ତି ତାହା ଏକ ଅଭୂତପୂର୍ବ ଘଟଣା। ରାଜ୍ୟ ସରକାର ଏହା ବିରୋଧରେ କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ସେ ସଂକେତ ଦେଇଛନ୍ତି।
ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କ ଉପରେ ଗମ୍ଭୀର ଆରୋପ ଲଗାଇ ତାଙ୍କ ଟ୍ବିଟର ଆକାଉଣ୍ଟ ପର୍ଯ୍ୟନ୍ତ ବ୍ଲକ୍ କରିଦେଇଥିଲେ। ରାଜ୍ୟପାଳ ନିୟମିତଭାବେ ମମତା ସରକାରରେ ଅସାମ୍ବିଧାନିକ କାମ କରାଯାଉଥିବା ନେଇ ଅଭିଯୋଗ କରି ଆସୁଥିଲେ।

ଆଭ୍ୟନ୍ତରୀଣ କଳହ ନେଇ ଟିଏମ୍‌ସିର ଜରୁରୀ ବୈଠକ: ୨୦ ଜଣିଆ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା
କୋଲକାତା: ପଶ୍ଚିମବଙ୍ଗ ଶାସକ ଦଳ ଟିଏମ୍‌ସିରେ ବିଭିନ୍ନ ମାମଲାକୁ ନେଇ ଆଭ୍ୟନ୍ତରୀଣ କଳହ ବଢ଼ୁଥିବା ବେଳେ ଆଜି ଦଳ ସୁପ୍ରିମୋ ମମତା ବାନାର୍ଜୀ ଏହି ମାମଲାରେ ଏକ ଜରୁରୀ ବୈଠକରେ ଆଲୋଚନା କରିଛନ୍ତି। ମମତା ଏବଂ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସମର୍ଥକଙ୍କ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି ଆଜି ମମତାଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଭିଷେକ ବାନାର୍ଜୀ, ଫିରହାଦ୍ ହାକିମ, ପାର୍ଥ ଚାଟାର୍ଜୀ, ସୁବ୍ରତ ବକ୍ସି, ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ ଏବଂ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ। ‘ଜଣେ ବ୍ୟକ୍ତି ଗୋଟିଏ ପଦବି’ ଉପରେ ଅଭିଷେକ ଏବଂ ମମତାଙ୍କ ସମର୍ଥକଙ୍କ ମଧ୍ୟରେ କଳହ ସୃଷ୍ଟି ହେବା ପରେ ବିଭିନ୍ନ ଜିଲ୍ଲାରେ ବି ଗୋଷ୍ଠୀ ବିବାଦ ବଢ଼ିଥିଲା। ଆଜିର ବୈଠକରେ ମମତା ୨୦ ଜଣିଆ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ମମତା ବାନାର୍ଜୀ ନିକଟକରେ ପୁଣି ଥରେ ଜାତୀୟ ସଭାପତି ଭାବେ ନିର୍ବାଚିତ ହେବା ପରଠାରୁ ପୂର୍ବରୁ ଥିବା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ମଧ୍ୟରେ ବି ବିଭିନ୍ନ କାରଣରୁ ବିବାଦ ବଢ଼ିଥିଲା। ଦଳର ରଣନୀତିକାର ପ୍ରଶାନ୍ତ କିଶୋଙ୍କୁ ନେଇ ମଧ୍ୟ ତୀବ୍ର ମତଭେଦ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର