ସଶକ୍ତ ହେଲା ଭାରତୀୟ ବାୟୁସେନା, ଏବେ ରାଫେଲ ଧରି ଚୀନ୍‌ ସହ ଲଢ଼େଇ ଯୋଜନା

ନୂଆଦିଲ୍ଲୀ: ଚୀନ୍‌ର ବାୟୁସେନା ପକ୍ଷରୁ ସମ୍ଭାବ୍ୟ ବିପଦକୁ ପ୍ରତିହତ କରିବା ହିଁ ହେଉଛି ଭାରତୀୟ ବାୟୁସେନାର ଗୋପନ ଆକାଂକ୍ଷା। ତେବେ ଚୀନ୍‌ ସେନା ବିରୋଧରେ ଏଭଳି ମୌଳିକ ରଣନୀତି ୨୦୧୮ ଗଗନ ଶକ୍ତି ସମରାଭ୍ୟାସ ବେଳେ ସଫଳତାର ସହ ପରୀକ୍ଷିତ ହୋଇଥିଲା। ଅବଶ୍ୟ ଅବସରପ୍ରାପ୍ତ ଏୟାର ଚିଫ୍‌ ମାର୍ଶାଲ ବୀରେନ୍ଦ୍ର ସିଂହ ଧନୋଆଙ୍କ ପରି ଦକ୍ଷ ଯୋଦ୍ଧାମାନେ ଅନୁଭବ କରନ୍ତି ଯେ ଭାରତୀୟ ବାୟୁସେନାକୁ ନିଷ୍କ୍ରିୟ କରିବା ଲାଗି ଚୀନ୍‌ ବହୁ ସଂଖ୍ୟାରେ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ବାରା ଭାରତୀୟ ବିମାନଘାଟିଗୁଡ଼ିକ ଉପରେ ଆକ୍ରମଣ କରିପାରେ। ମାତ୍ର ହାଭାର୍ଡ କେନେଡ଼ି ସ୍କୁଲ୍‌ର ୱେଲଫର ସେଣ୍ଟର ଷ୍ଟଡି-୨୦୨୦ ମାର୍ଚ୍ଚ ଅନୁସାରେ ସେଭଳି ଆଶଙ୍କା ଏତେ ସହଜ ନୁହେଁ।

କାରଣ ଭାରତର କୌଣସି ବିମାନ ଘାଟିକୁ ୨୪ ଘଣ୍ଟା ଧରି ନିଷ୍କ୍ରିୟ କରି ରଖିବାକୁ ଚୀନ୍‌କୁ ଅତି କମ୍‌ରେ ୨୨୦ଟି ବାଲିଷ୍ଟିକ୍‌ ବା ଦ୍ରୁତଗାମୀ କ୍ଷେପଣାସ୍ତ୍ର ଲୋଡ଼ା। ତେବେ ଏହା ବି ଭାରତୀୟ ବାୟୁସେନା ପାଇଁ କିଛି ଫରକ ପଡ଼ିବନି, କାରଣ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ପାଇଁ ଲେହଠାରୁ ପାସିଘାଟ ଯାଏ ଆହୁରି ଅନେକ ବିମାନ ଘାଟି ରହିଛି। ଯଦି ଚୀନ୍‌ ବାୟୁସେନା ସେହିପରି ତିନିଟି ଭାରତୀୟ ବିମାନ ଘାଟି ଉପରେ ଆକ୍ରମଣ ଯୋଜନା କରେ, ତେବେ କେବଳ ରନ୍‌ୱେ ଓ ଟାକ୍ସି ଟ୍ରାକ୍‌ ନଷ୍ଟ କରିବା ଲାଗି ଦିନକୁ ଅତି କମ୍‌ରେ ୬୬୦ଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଲୋଡ଼ା। ସେଭଳି ସ୍ଥିତିରେ ମାତ୍ର ତିନି ଦିନ ଭିତରେ ବି ଚୀନ୍‌ ପାଖରେ ଗଚ୍ଛିତ ଥିବା ୧,୦୦୦ରୁ ୧,୨୦୦ ଯାଏ ମଧ୍ୟମ ଦୂରଗାମୀ ବା ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଶେଷ ହୋଇଯିବ। ପୁଣି ଭାରତୀୟ ବାୟୁସେନାର ଯୋଗାଯୋଗ କେନ୍ଦ୍ର କି ନିର୍ଦ୍ଦେଶ କେନ୍ଦ୍ର ପରି ଗୁରୁତ୍ବପୂର୍ଣ୍ଣ ସ୍ଥାନ ଏଭଳି ଆକ୍ରମଣ ବାହାରେ ରହିଥିବ। ତଥାପି ଚୀନ୍‌ ପଟୁ ଏପରି ଆଶଙ୍କାକୁ ପ୍ରତିହତ କରିବା ଲାଗି ଗଗନ ଶକ୍ତି ସମରାଭ୍ୟାସ ବେଳେ କେବଳ ପୂର୍ବଭାଗରେ ଭାରତୀୟ ବାୟୁସେନା ୬,୦୦୦ ଥର ଉଡ଼ାଣ କରିଥିଲା। ସୁତରାଂ ଚୀନ୍‌ ପଟୁ ସାମାନ୍ୟ ଆକ୍ରମଣ ସୂଚନା ପାଇଲା ମାତ୍ରେ ସମଗ୍ର ସୀମାରେ ଥିବା ବିଭିନ୍ନ ବିମାନ ଘାଟିରୁ ପ୍ରଭୂତ ଯୁଦ୍ଧାସ୍ତ୍ର ସହ ଭାରତୀୟ ବାୟୁସେନା ଘେରିଯିବାକୁ ପ୍ରସ୍ତୁତ।

ଚୀନ୍‌ ପାଖରେ ରହିଥିବା କ୍ଷେପଣାସ୍ତ୍ରଗୁଡ଼ିକର ଲକ୍ଷ୍ୟଭେଦ ଦୂରତା ଭିତରେ ଭାରତର ଯେ କୌଣସି ସହର ଆସୁଥିବା ବେଳେ ଭାରତ ପାଖରେ ମଧ୍ୟ ଅନୁରୂପ ଅଗ୍ନି-୫ କ୍ଷେପଣାସ୍ତ୍ର ରହିଛି ଯାହା ଚୀନ୍‌ର ଯେ କୌଣସି ସ୍ଥଳକୁ ଲକ୍ଷ୍ୟ ଭେଦ କରିପାରିବ। ଏଥି ସହିତ ଭାରତ ପାଖରେ ଥିବା ରାଫେଲ ଓ ସୁଖୋଇ ଯୁଦ୍ଧବିମାନ ୩୦ ଟନ୍‌ରୁ ଅଧିକ ଗୋଳାବାରୁଦ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାର ସାମର୍ଥ୍ୟ ମଧ୍ୟ ରଖିଛନ୍ତି। ସୁତରାଂ ଶହେ କେଜି ଓଜନର ଯୁଦ୍ଧାସ୍ତ୍ର ବହନ କରି ମାତ୍ର ଥରଟେ ପାଇଁ କାମ କରିପାରୁଥିବା କ୍ଷେପଣାସ୍ତ୍ର ଅପେକ୍ଷା ରାଫେଲ ଓ ସୁଖୋଇ କେତେ ଫଳପ୍ରଦ ତାହା ସହଜରେ ଅନୁମେୟ।

ସମ୍ବନ୍ଧିତ ଖବର