ଭାରତୀୟ ରାଜନୀତିରେ ଚୀନ୍ ପ୍ରସଙ୍ଗ

ନୂଆଦିଲ୍ଲୀ: ଗତ ୧୫ ତାରିଖ ରାତିରେ ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍ ସେନା ସହ ସଂଘର୍ଷରେ ଯେପରି ଭାରତର ଜଣେ କର୍ଣ୍ଣେଲଙ୍କ ସହ ଅନ୍ୟ ୧୯ ଜଣ ଯବାନ ସହିଦ ହେଲେ ତାହା ସାରା ଦେଶକୁ ଦୀର୍ଘ କାଳ ଧରି ଆନ୍ଦୋଳିତ କରିରଖିବ ନିଶ୍ଚୟ। ଦେଶର ଅଖଣ୍ତତା ସହ ସାର୍ବଭୌମତ୍ବ ଏବଂ ସମ୍ବିଧାନ ରକ୍ଷା ପାଇଁ କାଳେ କାଳେ ଏମିତି ସୁରକ୍ଷା କର୍ମୀମାନଙ୍କୁ ପ୍ରାଣବଳି ଦେବାକୁ ପଡି଼ଛି। ପ୍ରଥମତଃ ୧୯୭୫ ମସିହା ପରଠାରୁ ଚୀନ୍ ସହ ନିଜର ସୀମା ସୁରକ୍ଷାକୁ କେନ୍ଦ୍ର କରି ସେଠାରେ ପ୍ରଥମ ଥର ଲାଗି ଭାରତୀୟଙ୍କ ରକ୍ତ ବହିବା ଏକ ଅଭାବନୀୟ ଘଟଣା।ଏପରିକି ଦୁଇ ଦେଶ ମଧ୍ୟରେ ଯୁଦ୍ଧର କୌଣସି ଆନୁଷ୍ଠାନିକ ଘୋଷଣା ନଥାଇ ବି ଯାବତୀୟ ନିୟମ ଉଲ୍ଲଂଘନ କରି ଚୀନ୍ ପିପୁଲସ ଆର୍ମି ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲା। ଶେଷରେ ଭାରତୀୟଙ୍କ ଏହି ବଳିଦାନ ଭାରତର ଲଦାଖ ଏବଂ ବିଶେଷ କରି ଗଲୱାନ ଉପତ୍ୟକାକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଦେଲାା ଏହାର କୂଟନୈତିକ ସମାଧାନ କି ରୂପ ନେବ ପଛ କଥା, ତେବେ ଏହାକୁ ନେଇ ଚୀନ୍ ଏବେ ଭାରତୀୟ ଘରୋଇ ରାଜନୀତିରେ ମୁଖ୍ୟତଃ ଜନମତ, ଦଳୀୟ ସମର୍ଥନ ଏବଂ ଜାତୀୟତାବୋଧ ଭିତ୍ତିରେ ଏକ ପ୍ରସଙ୍ଗ ପାଲଟିଛି।

ଚୀନ୍ ସହ ୧୯୬୨ ମସିହା ଯୁଦ୍ଧ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ତୀବ୍ର ଭାବେ ସମାଲୋଚିତ ହେବା ପରଠାରୁ ଭାରତର ସବୁଠୁ ଉଦବେଗଜନକ ବୈଦେଶିକ ନୀତି କେବଳ ପାକିସ୍ତାନ ପ୍ରସଙ୍ଗରେ ହିଁ ସୀମିତ ହୋଇ ଆସିଛି। ଅବଶ୍ୟ ଏପରି ହେବା ପଛରେ ଦେଶ ବିଭାଜନ, ଖଲିସ୍ଥାନକୁ ପାକିସ୍ତାନର ସମର୍ଥନ, କାଶ୍ମୀର ପ୍ରସଙ୍ଗ ଏବଂ ଚାରି ଚାରି ଥର ଯୁଦ୍ଧ ପରି ଅନେକ କାରଣ ରହିଛିା ତେବେ ଭାରତର ସାମରିକ ବିଶ୍ଲେଷକମାନେ ଅନେକ ଆଗରୁ ଚୀନକୁ ଏକ ବିପଦ ଭାବେ ଆଶଙ୍କା ପ୍ରକଟ କରି ଆସିଛନ୍ତି। ସୀମା ବିବାଦ ସାଙ୍ଗକୁ ଚୀନର ଏପରି ଧାରାବାହିକ ଆକସ୍ମିକ ଆକ୍ରମଣ ଏବଂ ଅରୁଣାଚଳପ୍ରଦେଶର ବିଶେଷ କରି ତାୱାଙ୍ଗ ଅ‌ଳକୁ ନିଜର ବୋଲି ଦାବି କରିବା ଆଦି ଘଟଣା ଯୋଗୁଁ ଭାରତ ସହ ତିକ୍ତତା ବଢ଼ି ଚାଲିଥିବା ବେଳେ ଚୀନ୍–ପାକିସ୍ତାନ–ଅର୍ଥନୈତିକ–ଅଳିନ୍ଦ(ସିପିଇସି)ରୁ ପ୍ରଭୂତ ଫାଇଦା ପାଉଥିବା ଭାରତର ପାରମ୍ପରିକ ଶତ୍ରୁ ପେଡ଼ାଶୀ ପାକିସ୍ତାନ ଏବେ ଚୀନର ପରାଙ୍ଗପୁଷ୍ଟ ହୋଇ ରହିଛିା ଫଳରେ ଭାରତ ସହ ଦାଉ ସାଧିବାକୁ ଚୀନକୁ ସୁବିଧା ହେଉଛିା ଏହାର ପ୍ରଚୋଚନାରେ ଭାରତ ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ସଭ୍ୟ ହୋଇପାରୁନି କି ଆଣବିକ ଅସ୍ତ୍ର ଯୋଗାଣକାରୀ ଗୋଷ୍ଠୀ(ଏନଏସଜି)ରେ ସାମିଲ ହୋଇପାରୁନିା

ଅପରପକ୍ଷେ, ଚୀନ ଅର୍ଥନୀତି ତୁଳନାରେ ଭାରତ ଦୁର୍ବଳ ରହିବା ସହ ଏହାର ସାମରିକ ଶକ୍ତି ଓ ବୈଷୟିକ ଜ୍ଞାନକୌଶଳ ମଧ୍ୟ ଚୀନ୍ ସହ ସମକକ୍ଷ ନୁହୋଁ ସେହିପରି ଏକକ ଜାତୀୟ ଦଳ କମ୍ୟୁନିଷ୍ଟ ପାର୍ଟିର ନେତା ତଥା ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଏକଚାଟିଆ ଭାବେ ଯାହା କିଛି ଜାତୀୟ ନିଷ୍ପତ୍ତି ନେବାକୁ ସମର୍ଥ ଥିବା ବେଳେ ଭାରତୀୟ ଗଣତନ୍ତ୍ରରେ ତାହା ସମ୍ଭବ ନୁହେଁ। ଚୀନକୁ ଭିନ୍ନ ବାଟରେ ଘୃଣା କରିବା ଲାଗି ଭାରତ ଚୀନ୍ ସାମଗ୍ରୀ ପରିହାର କରିବାଟା ଅବାସ୍ତବ ହେଲେ ବି ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେଇ ସରକାରଙ୍କୁ ତାହା କରିବାକୁ ହେବ। କାରଣ ଲୋକମତ ହିଁ ରାଜନୈତିକ ଭାଷଣର ଅଂଶବିଶେଷ ହେବାକୁ ବାଧ୍ୟ। ଭାରତୀୟ ସୀମାରେ କୌଣସି ବାହ୍ୟଶକ୍ତିର ଅନୁପ୍ରବେଶ ନଥିଲା ବୋଲି ଗତ ଶୁକ୍ରବାର ମୋଦୀ କରିଥିିବା ଦାବିକୁ କେବଳ ବିରୋଧୀ କି ସମାଲୋଚକ କାହିଁକି, ଅନେକ ନିରପେକ୍ଷ ଚିନ୍ତାନାୟକ ବି ସହଜରେ ଗ୍ରହଣ କରିପାରିନାହାନ୍ତି। ଅବଶ୍ୟ ଶନିବାର ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ବାବଦରେ ସ୍ପଷ୍ଟୀକରଣ ଦିଆଯାଇଛି, ମାତ୍ର ତାଙ୍କ ପ୍ରଥମ ବକ୍ତବ୍ୟ ହିଁ ଭିନ୍ନ କିଛି ଇସାରା କରୁଛିା ଏହା ଦ୍ବାରା ପରୋକ୍ଷରେ ସୀମା ପାଇଁ ଚୀନ୍ ସହ ସାଲିସ କରାଯାଇଥିବା ସମ୍ଭାବନାକୁ ସାଧାରଣ ଦେଶବାସୀ ହଜମ କରିପାରୁନାହାନ୍ତି। ଏହାର ପ୍ରଭାବ ଜାତୀୟ ରାଜନୀତିରେ ପ୍ରତିଫଳିତ ହେବ ବୋଲି ବିଶେଷଜ୍ଞମାନଙ୍କ ମତ। ଆତଙ୍କବାଦୀଙ୍କ ବିରୋଧରେ ଲଢ଼ି। ପାକିସ୍ତାନରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍ ପରି କଠୋର ପଦକ୍ଷେପ ନେଇଥିବା ମୋଦୀ ସରକାରଙ୍କୁ ଚରମ ଜାତୀୟତାବାଦୀର ଆଖ୍ୟା ଦେଇ ବାହାବା ନେଉଥିବା ତାଙ୍କ ଦଳ ବିଜେପି ଏବେ ଚୀନ୍ ବିରୋଧରେ ଭାରତର ଭୂମିକା ପାଇଁ ନିଜକୁ ଦାୟୀ କରିବା ଦରକାର ବୋଲି ଯୁକ୍ତି ଉଠିଛି।

ସମ୍ବନ୍ଧିତ ଖବର