ବିବାଦର ମହାରଥୀ ଥିଲେ ଅମର ସିଂହ, ବିବାଦୀୟ ରାଜନୈତିକ ଟିପ୍ପଣୀ ଓ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିଲେ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରାକ୍ତନ ନେତା ତଥା ରାଜ୍ୟସଭା ସାଂସଦ ଅମର ସିଂହ (୬୪)ଙ୍କର ଗତକାଲି ସିଙ୍ଗାପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ଏକ ବୃକକ୍ ସମସ୍ୟା ଜନିତ ଅସ୍ତ୍ରୋପଚାର ପାଇଁ ସେ ସେଠାରେ ଭର୍ତ୍ତି ହୋଇଥିଲେ। ଅମର ସିଂହ ସିଂହ ନିଜର ବାକ୍‌ପଟୁତା ବଳରେ ଜଣେ ସୁଦକ୍ଷ ବ୍ୟବସାୟୀରୁ ଲୋକପ୍ରିୟ ରାଜନେତା ପାଲଟି ପାରିଥିଲେ। ମେଗାଷ୍ଟାର ଅମିତାଭ ବଚନଙ୍କ ଭଳି ଘନିଷ୍ଠ ବନ୍ଧୁ ସୃଷ୍ଟି କରି ପାରିଥିବା ଅମରସିଂହ ଏକଦା ଭାରତୀୟ ଉଦ୍ୟୋଗ, ରାଜନୀତି ଏବଂ ସିନେଜଗତରେ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଭାବେ ବିବେଚିତ ହେଉଥିଲେ। ବିଭିନ୍ନ ରାଜନୈତିକ ଦଳରେ ତାଙ୍କର ବନ୍ଧୁ ରହିଥିବା ବେଳେ ଅନେକ ବିବାଦୀୟ ରାଜନୈତିକ ଟିପ୍ପଣୀ ଏବଂ ନିଷ୍ପତ୍ତି ପାଇଁ ମଧ୍ୟ ସେ ଚର୍ଚ୍ଚାରେ ରହିଥିଲେ। ଦେଶର ବିଭିନ୍ନ ଶୀର୍ଷ ପେସାଦାରୀ, ରାଜନେତା, ବ୍ୟବସାୟୀ ଏବଂ କୂଟନୀତିଜ୍ଞଙ୍କ ସମେତ ବଲିଉଡ୍‌ର କିଛି ସଦସ୍ୟଙ୍କ ସହ ଫୋନ୍‌ ମାଧ୍ୟମରେ ସେ ଅନେକ କାରବାର ସଂପନ୍ନ କରିଥିଲେ ଯାହା କି ୨୦୧୧ରେ ଗଣମାଧ୍ୟମରେ ଧରା ପଡ଼ିଥିଲା। ତେବେ ସେ ସବୁ ତାଙ୍କର କଣ୍ଠସ୍ବର ନୁହେଁ ବୋଲି କହି ସେ ଆଡ଼େଇ ଯାଇଥିଲେ।

୨୦୦୬ରେ ଫୋନ୍‌ ଟ୍ୟାପିଂରୁ ଅଭିନେତ୍ରୀ ବିପାଶା ବସୁଙ୍କ ସହ ଅମରଙ୍କର ଆପତ୍ତିଜନକ ଫୋନ୍‌ କଥାବାର୍ତ୍ତା ପଦାକୁ ଆସିଥିଲା, ଯାହା କି ସେତେବେଳେ ଝଡ଼ ସୃଷ୍ଟି କରିଥିଲା। ମାତ୍ର ତାହା ଜଣେ ପୁରୁଷ ବନ୍ଧୁଙ୍କ ସହ କଥାବାର୍ତ୍ତାର ଅଂଶ ବୋଲି ଅମର ସଫେଇ ଦେଇଥିଲେ। ୨୦୦୮ ମସିହାରେ କେନ୍ଦ୍ରରେ ୟୁପିଏ-୧ ସରକାର ସଂସଦରେ ଆସ୍ଥା ଭୋଟର ସମ୍ମୁଖୀନ ହେଉଥିବା ବେଳେ ଭୋଟ କିଣାବିକାରେ ଅମର ସିଂହଙ୍କର ହାତ ଥିଲା ବୋଲି ଅଭିଯୋଗ ହୋଇଥିଲା। ଆସ୍ଥା ଭୋଟ ବେଳେ ବିଏସ୍‌ପି ସୁପ୍ରିମୋ ମାୟାବତୀ ସମାଜବାଦୀ ପାର୍ଟିର ୬ ଜଣ ସାଂସଦଙ୍କୁ ଅପହରଣ କରି ଦିଲ୍ଲୀ ସ୍ଥିତ ଉତ୍ତରପ୍ରଦେଶ ଭବନରେ ମୁଣ୍ଡଜାମିନ ରଖିଛନ୍ତି ବୋଲି ଅମରସିଂହ ଅଭିଯୋଗ ଆଣିଥିଲେ। ତାହା ପରେ ସଂପୃକ୍ତ ୬ ଜଣ ସାଂସଦଙ୍କ ସମେତ ଅମରସିଂହଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଥିଲା। ସେହିପରି ଅମିତାଭ ବଚନଙ୍କର ଅଭିନୟ ଜୀବନର ଦୁଃସ୍ଥିତି ବେଳେ ଅମର ସିଂହ ହିଁ ତାଙ୍କର ଶ୍ରେଷ୍ଠ ବନ୍ଧୁ ପାଲଟିଥିଲେ। ଏପରିକି ସେ ସମାଜବାଦୀ ପାର୍ଟିରେ ଜୟା ବଚନଙ୍କ ରାଜନୀତି ଜୀବନର ପଥପ୍ରଦର୍ଶକ ସାଜିଥିଲେ। ମାତ୍ର ୨୦୦୯ ଲୋକସଭା ନିର୍ବାଚନ ବେଳେ ବଚନ ପରିବାର ସହିତ ତାଙ୍କର ତିକ୍ତତା ଆସିଥିଲା। ସେତେବେଳେ ଦଳରୁ ବହିଷ୍କୃତ ସ୍ବର୍ଗତ ସିଂହ ଜୟାବଚନଙ୍କୁ ମଧ୍ୟ ଦଳ ଛାଡ଼ିବା ପାଇଁ ପ୍ରବର୍ତ୍ତାଇଥିଲେ, ମାତ୍ର ଜୟା ରାଜି ହୋଇନଥିଲେ।

ସମ୍ବନ୍ଧିତ ଖବର