ଆମେରିକା ସଂସଦ ଭବନ ଦଙ୍ଗା, ଟ୍ରମ୍ପ୍‌ଙ୍କୁ ନେଇ ସେନା କ୍ଷୁବ୍ଧ

ଶୀର୍ଷ ସାମରିକ ଅଧିକାରୀ ସେନାର ଆଭିମୁଖ୍ୟ ସ୍ପଷ୍ଟ କଲେ

ଵାସିଂଟନ: ଆମେରିକା ସଂସଦ ଭବନରେ ଗତ ସପ୍ତାହରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଚଳାଇଥିବା ହିଂସା ପରିପ୍ରେକ୍ଷୀରେ ଆମେରିକାର ଶୀର୍ଷ ସାମରିକ ଅଧିକାରୀମାନେ ଏକ ମିଳିତ ବିବୃତିରେ କଠୋର ମତପୋଷଣ କରିଛନ୍ତି। ଏପରି ହିଂସାତ୍ମକ କାର୍ଯ୍ୟ ଆମେରିକାର ସମ୍ବିଧାନ ପ୍ରତି ଏକ ଅପମାନ। ଏଭଳି କୁତ୍ସିତ କାର୍ଯ୍ୟରେ ଲିପ୍ତ ଥିବା ବିଦେଶୀ ଏବଂ ଘରୋଇ ତତ୍ତ୍ବମାନଙ୍କ ବିରୋଧରେ ଆମେ ସମସ୍ତ ବଳ ଖଟାଇ ଦେଶର ସମ୍ବିଧାନକୁ ସୁରକ୍ଷା ଯୋଗାଇଦେବୁ ବୋଲି ଏହି ଅଧିକାରୀମାନେ ଶପଥ ନେଇଛନ୍ତି। ଏହି ମିଳିତ ଶପଥନାମାରେ ସ୍ବାକ୍ଷର କରିଥିବା ସାମରିକ ଅଧିକାରୀମାନଙ୍କ ମଧ୍ୟରେ ବରିଷ୍ଠ ଜେନେରାଲ ମାର୍କ ମିଲିଙ୍କ ସମେତ ମିଳିତ ସାମରିକ ବାହିନୀର ସମସ୍ତ ମୁଖ୍ୟ ରହିଛନ୍ତି। ଜଣକୁ କହିବାର ଅଧିକାର ପ୍ରଦାନ କରିବା କି ସମବେତ ହେବାକୁ ସୁଯୋଗ ଦେବା ମାନେ ନୁହେଁ ଯେ କୌଣସି ହିଂସାର ଆଶ୍ରୟ ନେବା ବୋଲି ସେମାନେ କହିଛନ୍ତି।

ସୂଚନାଯୋଗ୍ୟ, ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଦେଶର ୫୦ ଯାକ ପ୍ରଦେଶରେ ଆଗକୁ ଆହୁରି ହିଂସା ରଚାଇବାର ଆଶଙ୍କା ରହିଛି ବୋଲି ଗୁଇନ୍ଦା ବିଭାଗ ସୋମବାର ସତର୍କ କରାଇ ଦେଇଥିବା ବେଳେ ମଙ୍ଗଳବାର ସାମରିକ ଅଧିକାରୀମାନଙ୍କର ଏଭଳି ସଂକଳ୍ପ ଯଥେଷ୍ଟ ଗୁରୁତ୍ବ ବହନ କରୁଛି। ସେନାବାହିନୀରେ ଟ୍ରମ୍ପ୍‌ଙ୍କ ସମର୍ଥକ ଥିବା ବରିଷ୍ଠ ଅଧିକାରୀମାନଙ୍କ ଆଭିମୁଖ୍ୟ କ’ଣ ହେବ ସେ ନେଇ ଚର୍ଚ୍ଚା ଜୋର୍‌ ଧରିବା ପରେ ଆଜି ଶୀର୍ଷ ସାମରିକ ଅଧିକାରୀମାନେ ସେମାନଙ୍କ ମତପୋଷଣ କରିଛନ୍ତି।

ସମ୍ବନ୍ଧିତ ଖବର