ଦିଲ୍ଲୀ ସରକାରଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରଶ୍ନ, ଅକ୍ସିଜେନ୍‌ ପାଇଁ କେତେ ସମୟ ଅପେକ୍ଷା କରିବୁ

ନୂଆଦିଲ୍ଲୀ: ଅକ୍ସିଜେନ୍‌ ଅଭାବ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ଏକାଧିକ ହସ୍ପିଟାଲ। ସମ୍ପ୍ରତି କରୋନା ସଂକ୍ରମିତ ରୋଗୀ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି। ଅକ୍ସିଜେନ୍‌ ଅଭାବରୁ ପ୍ରତିଦିନ ଏକାଧିକ ରୋଗୀ ମୃତ୍ୟୁବରଣ କରୁଛନ୍ତି। ଅକ୍ସିଜେନ୍‌ ମିଳିବାରେ ଅନିଶ୍ଚିତତା ପାଇଁ ଦିଲ୍ଲୀ ସରକାର ଦାୟୀ ବୋଲି ଆଜି କୋର୍ଟକୁ କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଅକ୍ସିଜେନ୍‌ ଅଭାବକୁ ନେଇ ଦିଲ୍ଲୀ ସରକାରଙ୍କ ବିରୋଧରେ ୩ଟି ହସ୍ପିଟାଲ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତକାଲି ଟ୍ବିଟ୍‌ କରି କହିଥିଲେ, ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍‌ ମହଜୁଦ ଥାଇ ମଧ୍ୟ ସେମାନେ ସରକାରଙ୍କୁ ଅପବାଦ ଦେଉଛନ୍ତି। ସେ ଟ୍ବିଟରରେ କହିଛନ୍ତି, ଗତକାଲି ଏକ ହସ୍ପିଟାଲରୁ ଅକ୍ସିଜେନ୍‌ ପାଇଁ କଲ୍‌ ଆସିଥିଲା। ସେତେବେଳକୁ ସେହି ହସ୍ପିଟାଲରେ ୭୨ ଘଣ୍ଟା ପାଇଁ ଆବଶ୍ୟକ ଅକ୍ସିଜେନ ମହଜୁଦ ଥିଲା। ଏହା ଏକ ଉଦାହରଣ। ଏଭଳି ଅନେକ ହସ୍ପିଟାଲ ଅନୁରୂପ ଭାବେ ଅକ୍ସିଜେନ୍‌ ଥାଇ ସରକାରଙ୍କୁ ଅଯଥା ହଇରାଣରେ ପକାଉଛନ୍ତି।

ଏହାକୁ ନେଇ ଆଜି ଜୟପୁରର ଗୋଲ୍‌ଡେନ୍‌ ହସ୍ପିଟାଲ ପ୍ରଶ୍ନ ଉଠାଇଛି, ସାମ୍ପ୍ରତିକ ପରିସ୍ଥିତିରେ ବିନା ଅକ୍ସିଜେନ୍‌ରେ ହସ୍ପିଟାଲ ଚାଲିପାରିବ କି? ଜଣେ କୋଭିଡ୍‌ ରୋଗୀ ଅକ୍ସିଜେନ୍‌କୁ ଅପେକ୍ଷା କରି କେତେ ସମୟ ମୃତ୍ୟୁ ସହ ସଂଗ୍ରାମ କରିପାରିବ? ରୋଗୀ ମୃତ୍ୟୁବରଣ କରିବା ପରେ ହସ୍ପିଟାଲ ଏସ୍‌ଓଏସ୍‌ କଲ୍‌ କରିବ କି? ଗତ ସପ୍ତାହରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବରୁ ୨୫ ଜଣ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର