ପ୍ଲାଜ୍‌ମା ଥେରାପିର ଦ୍ବିତୀୟ ପର୍ଯ୍ୟାୟ ପ୍ରୟୋଗ ଆରମ୍ଭ ହେବ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ପ୍ଲାଜ୍‌ମା ଥେରାପିର ପ୍ରୟୋଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ନାଁ ତାଲିକାଭୁକ୍ତ କରାଯାଇଥିବା ୪୫୨ କୋଭିଡ-୧୯ ରୋଗୀଙ୍କ ଶରୀରରେ ପ୍ଲାଜ୍‌ମା ଥେରାପିର ଦ୍ବିତୀୟ ପର୍ଯ୍ୟାୟ ପ୍ରୟୋଗ ଆରମ୍ଭ କରାଯିବ। ଦେଶର ୧୨୧ କ୍ଲିନିକ୍‌ ମଧ୍ୟରୁ ୨୧ କ୍ଲିନିକକୁ ଆଇସିଏମ୍‌ଆର୍‌ ପ୍ଲାଜ୍‌ମା ଥେରାପି ପ୍ରୟୋଗ ପାଇଁ ଅନୁମତି ଦେଇଛି। ସୂଚନାଯୋଗ୍ୟ, ପ୍ଲାଜ୍‌ମା ଥେରାପି ମାଧ୍ୟମରେ କୋଭିଡ-୧୯ ରୋଗରୁ ସୁସ୍ଥ ହୋଇ ଫେରିଥିବା ରୋଗୀଙ୍କ ଶରୀରରୁ ଆଣ୍ଟିବଡିଯକ୍ତ ବ୍ଲଡ୍‌ ପ୍ଲାଜ୍‌ମା ସଂଗ୍ରହ କରାଯାଇ ଅନ୍ୟ କୋଭିଡ-୧୯ ରୋଗୀଙ୍କ ଶରୀରରେ ପ୍ରୟୋଗ କରାଯିବ। ତେବେ ପ୍ଲାଜ୍‌ମାଦାତାମାନେ ଗୋଟିଏ ମାସରେ ୧,୦୦୦ ମିଲିଲିଟରରୁ ଅଧିକ ପ୍ଲାଜ୍‌ମା ଦେଇପାରିବେ ନାହିଁ ବୋଲି ଆଇସିଏମ୍‌ଆର୍‌ ସ୍ପଷ୍ଟ କରିଦେଇଛି। ତେବେ ପ୍ଲାଜ୍‌ମା ଥେରାପିକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଉଛି। ଏହାକୁ ସାର୍ବଜନୀନ କରାଯାଇନାହିଁ ବୋଲି ଆଇସିଏମ୍‌ଆର କହିଛି।

ସମ୍ବନ୍ଧିତ ଖବର