ୟୁରୋପ ପରେ ଆଫ୍ରିକା‌ ସ୍ଥିତି ଜଟିଳ: ସଂକ୍ରମିତଙ୍କ ସଂଖ୍ୟା ୧.୫ ଲକ୍ଷ ଟପିଲା, ୱାସିଂଟନ୍‌ରେ ସଂକ୍ରମଣ ବୃଦ୍ଧି

ନୂଆଦିଲ୍ଲୀ: ୟୁରୋପ୍‌ ପରେ ଏବେ ଆଫ୍ରିକାରେ କରୋନାଭାଇରସ୍‌ ସଙ୍କଟ ଜଟିଳ ହେବାରେ ଲାଗିଛି। ଆଫ୍ରିକାରେ ସଂକ୍ରମଣ ମାମଲା ଦେଢ଼ ଲକ୍ଷ ଟପିଯାଇଛି। ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ୩୫ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାରେ କେପ୍‌ ଟାଉନ୍‌ ଏବେ ହଟ୍‌ସ୍ପଟ୍‌ ପାଲଟିଛି ଏବଂ ଏଠାରେ ୨୩ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାରେ ଗତକାଲି ଲକ୍‌ଡାଉନ୍‌ କଟକଣା କୋହଳ କରାଯାଇ ମଦ ବିକ୍ରି ପାଇଁ ଅନୁମତି ମିଳିଥିବା ବେଳେ ବରିଷ୍ଠ କର୍ତ୍ତୃପକ୍ଷମାନେ ‌ ଚେତାବନୀ ଦେଇଛନ୍ତି ଯେ, ଆଫ୍ରିକାରେ ସଂକ୍ରମଣ ଆଗକୁ ଭୟାନକ ରୂପ ନେବାକୁ ଯାଉଛି। ଦକ୍ଷିଣ ଆଫ୍ରିକାରେ ମାମଲା ଦୁଇଗୁଣ ହେବାପାଇଁ ୧୨ ଦିନ ଲାଗୁଛି।

ଅନ୍ୟପକ୍ଷେ ପଶ୍ଚିମ କେପ୍‌ରେ ମାମଲା ଦ୍ବିଗୁଣ ହେବାପାଇଁ ୯ ଦିନ ଲାଗୁଛି। ସମଗ୍ର ଆଫ୍ରିକା ମହାଦେଶରେ ୪,୩୦୦ରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଆମେରିକାରେ ଦୈନିକ ସଂକ୍ରମଣ ମାତ୍ରା କମିଥିଲେ ମଧ୍ୟ ନ୍ୟୁୟର୍କ ପରେ ଏବେ ୱାସିଂଟନ୍‌ରେ ମଧ୍ୟ ସଂକ୍ରମଣ ବଢ଼ିଚାଲିଛି। ୱାସିଂଟନ୍‌ରେ ରବିବାର ଦିନ ୫୬ ନୂଆ ମାମଲା ଚିହ୍ନଟ ହୋଇଥିଲା ଏବଂ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୱାସିଂଟନ୍‌ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଥିଲା। ଏଥିସହ ୱାସିଂଟନ୍‌ରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୮, ୮୫୭ରେ ପହଞ୍ଚିଛି ଏବଂ ୪୬୮ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୬୦ ହଜାର ଟପିଯାଇଛି ଏବଂ ମୃତ୍ୟୁସଂଖ୍ୟା‌ ୧ ଲକ୍ଷ ୭ ହଜାରରେ ପହଞ୍ଚିଛି। ସେହିପରି ବିଶ୍ବବ୍ୟାପୀ ମୋଟ ଆକ୍ରାନ୍ତ ସଂଖ୍ୟା ୬୩ ଲକ୍ଷ ୯୫ ହଜାରରେ ପହଞ୍ଚିଛି ଏବଂ ୩ ଲକ୍ଷ ୭୮ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ସପ୍ତମ ରାଷ୍ଟ୍ରଭାବେ ମେକ୍ସିକୋରେ କରୋନା ମୃତ୍ୟୁସଂଖ୍ୟା ୧୦ ହଜାର ଟପିଛି। ଆମେରିକା ପରେ ବ୍ରିଟେନ୍‌ରେ ସବୁଠୁ ଅଧିକ ୩୯ ହଜାର ଲୋକଙ୍କ କରୋନାରେ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର