ରାମ ମନ୍ଦିର ନିର୍ମାଣ ପଛର ଅଜଣା ଚେହେରା, ଯେଉଁମାନଙ୍କ ଅବଦାନ ଅତୁଳନୀୟ

ଅଯୋଧ୍ୟା: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଏକ ଭବ୍ୟ ରାମମନ୍ଦିର ନିର୍ମାଣ ପଛରେ ବର୍ଷ ବର୍ଷ ଧରି ସାଧୁସନ୍ଥଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତାଙ୍କ ଭୂମିକା ଜଡ଼ିତ ହୋଇ ରହିଛି। ଏଥିରେ ଅନେକ ଜଣାଶୁଣା ତଥା ଲୋକପ୍ରିୟ ବ୍ୟକ୍ତିତ୍ବଙ୍କୁ ସେମାନଙ୍କର ବଳିଷ୍ଠ ସାଂଗଠନିକ ଉଦ୍ୟମ ପାଇଁ ଶ୍ରେୟ ମିଳିସାରିଛି। ତେବେ ଏପରି ଅନେକ ଅଜଣା ମୁହଁ ରହିଯାଇଛନ୍ତି ଯେଉଁମାନଙ୍କ ବଳିଷ୍ଠ ଅବଦାନ ଯୋଗୁ ହିଁ ରାମମନ୍ଦିର ବାସ୍ତବ ରୂପରେଖ ନେବା ସମ୍ଭବ ହୋଇପାରିଛି। ସେମାନଙ୍କ ଭିତରେ ଅନ୍ୟତମ ମନୀଷୀ ହେଉଛନ୍ତି ମହନ୍ତ ରଘୁବର ଦାସ।

ଅଯୋଧ୍ୟାର ଅନେକ ସାଧୁସନ୍ଥ ଏଥିପାଇଁ ମହନ୍ତ ରଘୁବରଙ୍କୁ ସର୍ବାଧିକ ଶ୍ରେୟ ଦିଅନ୍ତି, ଯାହାଙ୍କ ଲାଗି ରାମଜନ୍ମଭୂମି-ବାବରି ମସଜିଦ ନ୍ୟାୟିକ ଯୁଦ୍ଧ ଆରମ୍ଭ ହୋଇଥିଲା। ତେବେ ଏହି ଅଭିଯାନର ଅନ୍ୟତମ ବିନ୍ଧାଣୀ ହେଲେ ଗୋପାଳ ସିଂହ ବିଶାରଦ, ଯିଏ କି ସ୍ବାଧୀନ ଭାରତରେ ୧୯୫୦ ମସିହାରେ ମନ୍ଦିର ବିବାଦ ସମ୍ପର୍କରେ ପ୍ରଥମେ ମାମଲା ଦାଏର କରିଥିଲେ। ବଳରାମପୁର ଜିଲ୍ଲାର ବାସିନ୍ଦା ଗୋପାଳ ସିଂହ ତତ୍କାଳୀନ ଜିଲ୍ଲା ହିନ୍ଦୁ ମହାସଭାର ମୁଖିଆ ଥିଲେ। ସେ ରାମ ଜନ୍ମଭୂମି ବିବାଦୀୟ ସ୍ଥଳକୁ ପ୍ରବେଶ କରିବା ବେଳେ ପୁଲିସ ଅଟକାଇଥିଲା। ତେଣୁ ହିନ୍ଦୁମାନଙ୍କର ସେ ସ୍ଥାନକୁ ଅବାଧ ପ୍ରବେଶ ଅନୁମତି ଲୋଡ଼ି ସେ ଏହି ମାମଲା ରୁଜୁ କରିଥିଲେ। ସେହିପରି ୧୯୩୦ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ କେ କେ ନାଏର୍‌ ଫୈଜାବାଦ ଜିଲ୍ଲାର ମାଜିଷ୍ଟ୍ରେଟ୍‌ ଥିଲେ ଯାହାଙ୍କ ଅମଳରେ ୧୯୪୯ ଡିସେମ୍ବର ୨୩ ତାରିଖ ରାତିରେ ବିବାଦୀୟ ସ୍ଥଳରେ ରାମଲାଲାଙ୍କର ମୂର୍ତ୍ତି ସ୍ଥାପନ ହୋଇଥିଲା।

Patrika.com

ଏପରିକି ସେଠାରୁ ଉକ୍ତ ମୂର୍ତ୍ତିକୁ ହଟାଇବା ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ମୁଖ୍ୟମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ଥ ନାୟାର ତାହା କରିନଥିଲେ। ମୂର୍ତ୍ତି ସେଠାରୁ ହଟାଇବା ଆଗରୁ ତାଙ୍କୁ ତାଙ୍କ ପଦବିରୁ ସରକାର ହଟାଇ ନିଅନ୍ତୁ ବୋଲି ସେ ରୋକଠୋକ ଶୁଣାଇ ଦେଇଥିଲେ। କେରଳର ଆଲ୍ଲେପ୍ପେ ବାସିନ୍ଦା ନାୟାର ୧୯୫୨ରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ ଏବଂ ୧୯୬୭ ମସିହାରେ ଚତୁର୍ଥ ଲୋକସଭାକୁ ଜନସଂଘ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ୧୯୪୯ ମସିହାରେ ବିବାଦୀୟ ସ୍ଥଳରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପରେ ପରେ ଗୋରଖପୁର ସ୍ଥିତ ଗୋରକ୍ଷ ମନ୍ଦିରର ମୁଖ୍ୟପୂଜକ ମହନ୍ତ ଦିଗବିଜୟ ନାଥ ରାମମନ୍ଦିର ଆନ୍ଦୋଳନର ନେତୃତ୍ବ ନେଇଥିଲେ। ୧୯୬୯ରେ ତାଙ୍କ ପରଲୋକ ପରେ ମହନ୍ତ ଅବୈଦ୍ୟନାଥ ଏହି ଆନ୍ଦୋଳନର ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେହିପରି ଅନେକ ସାଧାରଣ ଲୋକ ମଧ୍ୟ ଏହି ଆନ୍ଦୋଳନ ସହ ଜଡ଼ିତ ଯେଉଁମାନଙ୍କର ଉତ୍ସର୍ଗୀକୃତ ମନୋଭାବ ଯୁଗେ ଯୁଗେ ସ୍ମରଣୀୟ ହୋଇ ରହିଥିବ। ସେହି ଭଳି ଜଣେ କରସେବକ ହେଉଛନ୍ତି ସୁରେଶ ବଘେଲ। ମଥୁରା ବୃନ୍ଦାବନ ବାସିନ୍ଦା ସୁରେଶ ବାବରି ମସ୍‌ଜିଦ ବିବାଦୀୟ ଢାଞ୍ଚା ଭାଙ୍ଗିବା ପାଇଁ ପ୍ରୟାସ କରି ପୁଲିସ କାର୍ଯ୍ୟାନୁଷ୍ଠାନର ପ୍ରଥମ ଶିକାର ହୋଇଥିଲେ। ୧୯୯୦ ମସିହା ବେଳକୁ ରାମମନ୍ଦିର ଆନ୍ଦୋଳନ କାୟା ବିସ୍ତାର କରି ୧୯୯୨ରେ ବାବରି ମସଜିଦ୍‌ ଭଙ୍ଗ ରୂପରେଖ ନେଲା ବେଳକୁ ତତ୍କାଳୀନ ବିଶ୍ବ ହିନ୍ଦୁ ପରିଷଦ ନେତା ଅଯୋକ ସିଂଘଲଙ୍କ ସ୍ଲୋଗାନ ‘ଏକ ଧକ୍କା ଔର ଦୋ, ବାବରି ମସଜିଦ ତୋଡ଼ ଦୋ’ ହିନ୍ଦୁମାନଙ୍କ ମଧ୍ୟରେ ଅଫୁରନ୍ତ ତଥା ଅଭୂତପୂର୍ବ ଉତ୍ସାହ ଭରିଦେଇଥିଲା। ତେବେ ଆଜି ରାମମନ୍ଦିର ପ୍ରକୃତ ରୂପରେଖ ନେଲାବେଳକୁ ସେ ଆରପାରିରେ।

ସମ୍ବନ୍ଧିତ ଖବର