ରାଜ୍ୟସଭାରେ ସୁପ୍ରିମ୍‌କୋର୍ଟକୁ ଟାର୍ଗେଟ୍‌ କଲେ ଉପରାଷ୍ଟ୍ରପତି: ଏନ୍‌ଜେଏସିକୁ ନାକଚ କରି ଜନାଦେଶକୁ ଅସମ୍ମାନ କରାଯାଇଛି

ସମ୍ବିଧାନର ମୌଳିକ ଢାଞ୍ଚାର ପରିପନ୍ଥୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ବୁଧବାର ରାଜ୍ୟସଭାରେ ତାଙ୍କ ପ୍ରଥମ ଉଦ୍‌ବୋଧନରେ ସୁପ୍ରିମ୍‌କୋର୍ଟ ଏନ୍‌ଜେଏସି ଆକ୍ଟକୁ ନାକଚ କରିବା ପ୍ରସଙ୍ଗ ଉତ୍ଥାପନ କ‌ରିଛନ୍ତି। ସେ କହିଛନ୍ତି ଯେ ଏହା ଏକ ଗୁରୁତର ପ୍ରସଙ୍ଗ, ଯେଉଁଥିରେ ପାର୍ଲାମେଣ୍ଟର ସାର୍ବଭୌମତ୍ବକୁ ଅଗ୍ରାହ୍ୟ କରିବା ସହ ଜନାଦେଶକୁ ଅସମ୍ମାନିତ କରାଯାଇଛି।

ଧନଖଡ଼ କହିଲେ ଯେ, ସଂସଦର କ୍ଷମତା ସର୍ବୋପରି ଏବଂ ସମ୍ବିଧାନକୁ ସଂଶୋଧନ କରିବାର ସାମ୍ବିଧାନିକ କ୍ଷମତା ସଂସଦର ରହିଛି। ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସଂସଦ ତା’ର କ୍ଷମତାର ପ୍ରୟୋଗ କରି ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲା। ସମ୍ବିଧାନର ୯୯ତମ ସଂଶୋଧନ ମାଧ୍ୟମରେ ଏହା ନ୍ୟାସନାଲ ଜୁଡ଼ିସିଆଲ ଆପଏଣ୍ଟମେଣ୍ଟ କମିସନ (ଏନ୍‌ଜେଏସି) ଆକ୍ଟ ପ୍ରଣୟନ କରିଥିଲା। ଏହି ଐତିହାସିକ ସଂସଦୀୟ ଜନାଦେଶକୁ ଅକ୍ଟୋବର ୧୬, ୨୦୧୫ରେ ସୁପ୍ରିମ୍‌କୋର୍ଟ ୪:୧ ବହୁମତରେ ନାକଚ କରିଦେଲେ। ଏହି ଆଇନ ସମ୍ବିଧାନର ମୌଳିକ ଢାଞ୍ଚାର ପରିପନ୍ଥୀ ବୋଲି ମତ ଦେଲେ। ଧନଖଡ଼ କହିଲେ ଯେ ପୃଥିବୀର କୌଣସି ଦେଶରେ ଏପରି ଗୋଟିଏ ବି ଦୃଷ୍ଟାନ୍ତ ନାହିଁ ଯେଉଁଠି ସଂସଦ ଦ୍ବାରା ଗୃହୀତ ଆଇନକୁ ବିଚାରବିଭାଗ ନାକଚ କରିଦେଇଛନ୍ତି।

ଏହାଦ୍ବାରା ସଂସଦର ସାର୍ବଭୌମତ୍ବକୁ ଅଗ୍ରାହ୍ୟ କରାଯାଇଛି ଏବଂ ଜନାଦେଶକୁ ଅସମ୍ମାନ କରାଯାଇଛି ବୋଲି ଧନଖଡ଼ ତାଙ୍କ ଭାଷଣରେ କହିଥିଲେ। ଏହା ପୂର୍ବରୁ ଦୁଇଥର ଉପରାଷ୍ଟ୍ରପତି ତାଙ୍କ ଭାଷଣରେ ଉକ୍ତ ପ୍ରସଙ୍ଗ ଉପରେ ନିଜର କ୍ଷୋଭ ବ୍ୟକ୍ତ କରିଥିଲେ। ପୂର୍ବଥର ସମ୍ବିଧାନ ଦିବସ ଅବସରରେ ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଓ ଅନ୍ୟ ବିଚାରପତି ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ ବି ସୁପ୍ରିମ୍‌କୋର୍ଟଙ୍କ ପୂର୍ବୋକ୍ତ ରାୟ ବିରୋଧରେ ମତବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର