ବିଶ୍ବର ସବୁଠୁ ବୟସ୍କ ବ୍ୟକ୍ତି ଏମିଲିଓ ଫ୍ଲୋର୍ସ ମାର୍କ୍ବେଜ, ଗିନିଜ୍‌ ବିଶ୍ବ ରେକର୍ଡରେ ସ୍ଥାନ ପାଇଲେ

ନୂଆଦିଲ୍ଲୀ: ୧୧୨ ବର୍ଷ ୩୨୬ ଦିନ ବୟସରେ ପୁଏର୍ତୋ ରିକୋର ଏମିଲିଓ ଫ୍ଲୋର୍ସ ମାର୍କ୍ବେଜଙ୍କୁ ବିଶ୍ୱର ସବୁଠାରୁ ବୟୋଜ୍ୟେଷ୍ଠ ଜୀବନ୍ତ ବ୍ୟକ୍ତି ଭାବରେ ଗିନିଜ୍‌ ବିଶ୍ବ ରେକର୍ଡ ଘୋଷଣା କରିଛି। ୧୯୦୮ ମସିହାରେ ପୁଏର୍ତୋ ରିକୋର ରାଜଧାନୀ ସାନ ଜୁଆନର ପୂର୍ବକୁ ଅବସ୍ଥିତ କାରୋଲିନାରେ ଜନ୍ମଗ୍ରହଣ କରିଥିବା ମାର୍କ୍ବେଜଙ୍କୁ ଗିନିଜ୍‌ ଦ୍ୱାରା ସବୁଠାରୁ ବୟସ୍କ ଜୀବନ୍ତ ବ୍ୟକ୍ତି ଭାବରେ ମାନ୍ୟତା ଦିଆଯାଇ ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଅଗଷ୍ଟ ୮, ୧୯୦୮ରେ ଜନ୍ମଗ୍ରହଣ କରିଥିବା ମାର୍କ୍ବେଜ ୧୧ ଭାଇଭଉଣୀଙ୍କ ମଧ୍ୟରେ ଦ୍ୱିତୀୟ ଜ୍ୟେଷ୍ଠ ସନ୍ତାନ ଏବଂ ସେ ଜୀବନର ଅଧିକାଂଶ ସମୟ ପରିବାରର ଆଖୁ ଚାଷରେ କାମ କରିଥିଲେ।

‘ଡନ୍ ମିଲୋ’ ଭାବରେ ମଧ୍ୟ ଜଣାଶୁଣା ମାର୍କ୍ବେଜ କହନ୍ତି ଯେ, ତାଙ୍କର ଦୀର୍ଘାୟୁ ହେବାର ରହସ୍ୟ ହେଉଛି ଦୟା, ପ୍ରେମ ଓ ସମ୍ବେଦନା। ସେ ଗିନିଜ୍‌କୁ କହିଛନ୍ତି, ‘‘ମୋ ବାପା ମୋତେ ବହୁତ ଭଲ ପାଉଥିଲେ ଏବଂ ମୋତେ ସମସ୍ତଙ୍କୁ ଭଲ ପାଇବା ଶିଖାଇଥିଲେ। ସେ ସର୍ବଦା ମୋତେ ଏବଂ ମୋର ଭାଇଭଉଣୀମାନଙ୍କୁ ଭଲ କାମ କରିବାକୁ, ଅନ୍ୟମାନଙ୍କ ସହିତ ସବୁକିଛି ବାଣ୍ଟିବାକୁ କହିଥିଲେ। ଏହା ବ୍ୟତୀତ ମୁଁ ମୋର ଇଷ୍ଟ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ମୋ ଭିତରେ ସର୍ବଦା ଅନୁଭବ କରେ।’’ ମାର୍କ୍ବେଜ ୭୫ ବର୍ଷ ତଳେ ଆଣ୍ଡ୍ରିୟା ପେରେଜଙ୍କୁ ବିବାହ କରିଥିଲେ ଏବଂ ୨୦୧୦ରେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ବର୍ତ୍ତମାନ ପାଞ୍ଚ ନାତିନାତୁଣୀ ଏବଂ ପାଞ୍ଚ ଅଣନାତି ଓ ଅଣନାତୁଣୀ ଅଛନ୍ତି। ସେ ବର୍ତ୍ତମାନ ପୁଏର୍ତୋ ରିକୋର ରିଓ ପିଡ୍ରାସରେ ରୁହନ୍ତି ଯେଉଁଠାରେ ତାଙ୍କର ଦୁଇ ସନ୍ତାନ ତିର୍ସା ଏବଂ ମିଲିଟୋ ତାଙ୍କର ଯତ୍ନ ନିଅନ୍ତି।

ସମ୍ବନ୍ଧିତ ଖବର