କୋଭାକ୍ସିନ୍‌ ଟ୍ରାଏଲ୍‌ ଡୋଜ୍‌ ନେବାର ୧୦ ଦିନ ପରେ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଭୋପାଳ ଜିଲ୍ଲାର ଜଣେ ୪୨ ବର୍ଷୀୟ ସ୍ବେଚ୍ଛାସେବୀ କୋଭାକ୍ସିନ୍‌ ଟ୍ରାଏଲ୍‌ ଡୋଜ୍‌ ନେବାର ୧୦ ଦିନରେ ପ୍ରାଣ ହାରିଛନ୍ତି। ପିପୁଲ୍ସ ମେଡିକାଲ୍‌ କଲେଜ୍‌ ଏବଂ ହସ୍ପିଟାଲ୍‌ରେ ଗତ ଡିସେମ୍ବର ୧୨ ତାରିଖରେ କୋଭାକ୍ସିନ୍‌ର ପରୀକ୍ଷଣ ଚାଲିଥିଲା। ଏହି ପରୀକ୍ଷଣ ପ୍ରକ୍ରିୟାରେ ସ୍ବେଚ୍ଛାସେବୀ ଦୀପକ ମରାୱି ଅଂଶଗ୍ରହଣ କରିଥିଲେ। ହସ୍ପିଟାଲ୍‌ର ଭିସି ତଥା ଡାକ୍ତର ରାଜେଶ କପୁର କହିଛନ୍ତି, ଟିକାର ଟ୍ରାଏଲ୍‌ ଡୋଜ୍‌ ନେବାର ୩୦ ମିନିଟ୍‌ ପର୍ଯ୍ୟନ୍ତ ତାଙ୍କୁ ପରୀକ୍ଷାରେ ରଖାଯାଇଥିଲା। ପରେ ତାଙ୍କୁ ଘରକୁ ପଠାଯାଇଥିଲା। ତେବେ ୭ରୁ ୮ ଦିନ ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟ ଭଲଭାବେ ଯାଞ୍ଚ କରାଯାଇଥିଲା ଏବଂ କୌଣସି ସମସ୍ୟା ନଥିଲା। ଅନ୍ୟପକ୍ଷରେ ଏହି ମୃତ୍ୟୁ ଆଦୌ ଟିକା ଯୋଗୁଁ ହୋଇନାହିଁ ଏବଂ ଭିସେରା ରିପୋର୍ଟରୁ ସଠିକ୍‌ ତଥ୍ୟ ସାମ୍ନାକୁ ଆସିବ ବୋଲି ଟିକା ପ୍ରସ୍ତୁତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି।

ମଧ୍ୟପ୍ରଦେଶ ସ୍ବାସ୍ଥ୍ୟ ମନ୍ତ୍ରୀ ଡା ପ୍ରଭୁରାମ ଚୌଧୁରୀ କହିଛନ୍ତି, ବ୍ୟବ‌ଚ୍ଛେଦ ରିପୋ‌ର୍ଟରୁ ଉକ୍ତ ଯୁବକଙ୍କ ମୃତ୍ୟୁ ବିଷକ୍ରିୟାରେ ହୋଇଥିବା ଜଣାପଡ଼ିଛି। ଦୀପକ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଯେଉଁଦିନ ସେ ଟିକା ନେଇ ଆସିଥିଲେ ସେଦିନ ସେ ଅସୁସ୍ଥ ଅନୁଭବ କରିଥିଲେ। ଡିସେମ୍ବର ୧୯ରେ ତାଙ୍କ ପାଟିରୁ ଫେଣ ବାହାରିଥିଲା। ଡିସେମ୍ବର ୨୧ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଖରାପ୍‌ ହୋଇଯିବାରୁ ତାଙ୍କୁ ହସ୍ପିଟାଲ୍‌ ନିଆଯିବା ବେଳେ ରାସ୍ତାରେ ହିଁ ମୃତ୍ୟୁ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର