ମଧ୍ୟପ୍ରଦେଶରେ ଫଳୁଥିବା ଏଇ ଆମ୍ବ ଗୋଟିକର ଦାମ୍ ୧୦୦୦ ଟଙ୍କା

ଇନ୍ଦୋର୍‌: ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାରେ ଉତ୍ପାଦନ ହେଉଥିବା ‘ନୂର୍‌ଜହାଁ’ ନାମକ ଆମ୍ବ ଗତବର୍ଷ ତୁଳନାରେ ଏଥର ଗୁଣ, ସଂଖ୍ୟା, ଆକାର ଏବଂ ମୂଲ୍ୟରେ ଖୁବ୍ ଅଗ୍ରଗତି ହାସଲ କରିଥିବା କଥା ତୋଟା ମାଲିକମାନେ କହୁଛନ୍ତି।

ରବିବାର ଦିନ ଜଣେ କୃଷକ କହିଛନ୍ତି, ଏଥର ପାଗଯୋଗ ଅନୁକୂଳର ରହିବାରୁ ‘ନୂର୍‌ଜହାଁ’ ଆମ୍ବ ଗୋଟିକୁ ୫୦୦ ରୁ ୧୦୦୦ ଟଙ୍କା ଦରରେ ବିକ୍ରି କରାଯାଉଛି। ସ୍ଥାନୀୟ ବାସିନ୍ଦାମାନେ କହନ୍ତି ଯେ, ‘ନୂର୍‌ଜହାଁ’ ଆମ୍ବର ଉତ୍ପତ୍ତି ହେଉଛି ଆଫଗାନିସ୍ଥାନରୁ। ସମ୍ପ୍ରତି ତାହା କେବଳ ଇନ୍ଦୋର୍‌ ଠାରୁ ପ୍ରାୟ ୨୫୦ କିଲୋମିଟର ଦୂର ଗୁଜରାଟ ସୀମାନ୍ତକୁ ଲାଗିଥିବା ଅଲିରାଜପୁର ଜିଲ୍ଲାର କାଠିୱାଡ଼ା ଅଞ୍ଚଳରେ ଚାଷ ହେଉଛି।

Image Courtesy of New Indian Express

କାଠିୱାଡ଼ାର ଆମ୍ବଚାଷୀ ଶିବରାଜ ସିଂହ ଯାଦବ ଗଣମାଧ୍ୟମକୁ କହିଛନ୍ତି, ମୋ ତୋଟାରେ ଥିବା ତିନୋଟି ‘ନୂର୍‌ଜହାଁ’ ଆମ୍ବଗଛରୁ ୨୫୦ଟି ଆମ୍ବ ଫଳିଛି। ଉକ୍ତ ଆମ୍ବର ଗୋଟିକପିଛା ଦର ୫୦୦ ରୁ ୧୦୦୦ ଟଙ୍କା ରଖାଯାଇଥିଲେ ବି ସବୁଗୁଡ଼ିକ ପାଇଁ ବରାଦ ପାଇସାରିଛି। ମଧ୍ୟପ୍ରଦେଶ ଏବଂ ପଡ଼ୋଶୀ ଗୁଜରାଟର ଫଳରସିକମାନେ ଏହି ‘ନୂର୍‌ଜହାଁ’ ଆମ୍ବ ପାଇଁ ଆଗତା ବହିନା ଦେଇ ସାରିଛନ୍ତି। ଏଥର ଫଳିଥିବା ‘ନୂର୍‌ଜହାଁ’ ଆମ୍ବ ଗୋଟିକର ଓଜନ ୨ କିଲୋରୁ ୩.୫ କିଲୋ ମଧ୍ୟରେ ରହିଛି।

Image Courtesy of The Economic Times

ଇଶାକକ୍ ମନ୍‌ସୂରୀ ନାମରେ କାଠିୱାଡ଼ାର ଆଉ ଜଣେ ପ୍ରବୀଣ ‘ନୂର୍‌ଜହାଁ’ ଚାଷୀ କହନ୍ତି, ଏଥର ଭଲ ଆମ୍ବ ଫଳିଛି କିନ୍ତୁ, କୋଭିଡ୍‌-୧୯ ମହାମାରୀ ଯୋଗୁଁ ବେପାର ମାନ୍ଦା ଧରିଯାଇଛି। ଗତବର୍ଷ ପାଗଯୋଗ ପ୍ରତିକୂଳ ହେବାରୁ ‘ନୂର୍‌ଜହାଁ’ ଗଛରେ ଠିକ୍ ଭାବେ ବଉଳ ଧରି ନ ଥିଲା।

ସୂଚନାଯୋଗ୍ୟ, ଜାନୁଆରି-ଫେବ୍ରୁଆରିରେ ବଉଳୁଥିବା ‘ନୂର୍‌ଜହାଁ’ ଆମ୍ବଗଛରେ ଜୁନ୍ ଆରମ୍ଭ ବେଳକୁ ଫଳ ତୋଳାଯାଏ। ଗୋଟିଏ ‘ନୂର୍‌ଜହାଁ’ ଆମ୍ବ ଲମ୍ବାରେ ୧ଫୁଟ୍‌ ପର୍ଯ୍ୟନ୍ତ ବଢ଼ିପାରେ। ଏଥିରେ ଥିବା ଟାକୁଆର ଓଜନ ହେଉଛି ୧୫୦ ରୁ ୨୦୦ ଗ୍ରାମ୍।

ସମ୍ବନ୍ଧିତ ଖବର