‌ଲୋକଙ୍କ ସମସ୍ୟାର ସମାଧାନ ପାଇଁ ୫୦ଫୁଟ ଉଚ୍ଚ ଝୁଲାରେ ଯାଇ ବସୁଛନ୍ତି ମନ୍ତ୍ରୀ

ଭୋପାଳ: ଚର୍ଚ୍ଚାରେ ମଧ୍ୟପ୍ରଦେଶର ଜନସ୍ବାସ୍ଥ୍ୟ ବିଭାଗ ମନ୍ତ୍ରୀ ବ୍ରଜେନ୍ଦ୍ର ସିଂହ ଯାଦବ। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ନିଜ ଜୀବନକୁ ବାଜି ଲଗାଇ ସେ ୫୦ଫୁଟ ଉଚ୍ଚ ଝୁଲାରେ ବସୁଥିବା ଜଣାପଡ଼ିଛି।

ସୂଚନା ମୁତାବକ,୯ଦିନ ପାଇଁ ସେ ଅଶୋକନଗର ଜିଲ୍ଲାର ସୁରେଲ ଗାଁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରେ ମୋବାଇଲକୁ ନେଟୱାର୍କ ଆସିନଥିଲା। ଏହା ପରେ ଲୋକଙ୍କ ସମସ୍ୟା ବିଷୟ‌ରେ ବିଭିନ୍ନ ଅଧିକାରୀଙ୍କ ସହ କଥା ହେବା ପାଇଁ ସେ  ୫୦ଫୁଟ ଉଚ୍ଚର ଝୁଲା ଉପରେ ବସିବା ନେଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ବ୍ରଜେନ୍ଦ୍ର ସିଂହଙ୍କ କହିବା ମୁତାବକ, ମୋତେ ଏହି ଅଞ୍ଚଳରେ ୯ ଦିନ ରହିବାକୁ ପଡିବ। କିନ୍ତୁ ଏହି କ୍ଷେତ୍ରରେ ମୋବାଇଲ୍ ନେଟୱାର୍କ ସଂଯୋଗରେ ସମସ୍ୟା ରହିଛି। ଲୋକମାନେ ସେମାନଙ୍କର ସମସ୍ୟା ସହିତ ମୋ ପାଖକୁ ଆସୁଛନ୍ତି। ସମସ୍ୟାର ସମାଧାନ ପାଇଁ ମୋତେ ଅଧିକାରୀଙ୍କ ସହ କଥା ହେବାର ଆବଶ୍ୟକତା ଥିବା ବେଳେ ଏଠାରେ ନେଟୱାର୍କ ସମସ୍ୟା ଥିବାରୁ ମୁଁ ସେମାନଙ୍କ ସହ କଥା ହୋଇପାରୁନଥିଲି। ସମସ୍ୟାର ସମାଧାନ ପାଇଁ ମୋତେ ୫୦ଫୁଟ ଉଚ୍ଚର ଝୁଲା ଉପରେ ବସିବାକୁ ପଡ଼ିଲା। ଏବେ ୯ଦିନ ପର୍ଯ୍ୟନ୍ତ ମୁଁ ଝୁଲା ଉପରେ ଦୁଇ ଘଣ୍ଟା ବସି ବିଭିନ୍ନ ଅଧିକାରୀଙ୍କ ସହ କଥା ହେବି ଏବଂ ଲୋକଙ୍କ ସମସ୍ୟାର ସମାଧାନ କରିବି।

ସମ୍ବନ୍ଧିତ ଖବର