ପରାଜୟ ସ୍ବୀକାର କରି ଆସୁଥିବା ବେଳେ ‘ପରେ ଜ‌ଣାପଡ଼ିବ’ କହି ହଠାତ୍‌ ଅଟକି ଗଲେ ଟ୍ରମ୍ପ୍‌

ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହୋଇଥିଲେ ହେଁ ସ୍ବୀକାର କରିପାରୁନାହାନ୍ତି ଡୋନ‌ାଲ୍ଡ ଟ୍ରମ୍ଫ। ହ୍ବାଇଟ୍ ହାଉସରେ ଚାଲିଥିବା ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ନଭେମ୍ବର ୩ ନିର୍ବାଚନରେ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ଙ୍କ ଠାରୁ ପରାସ୍ତ ହୋଇଥିବା କଥା ଶୁକ୍ରବାର ସ୍ବୀକାର କରି ଆସୁଥିବା ବେଳେ ହଠାତ୍‌ ଅଟକି ଯାଇଥିଲେ ରାଷ୍ଟ୍ରପତି  ଟ୍ରମ୍ପ୍‌। ଏହାପରେ କହିଥିଲେ- ପରବର୍ତ୍ତୀ ସରକାରର ମୁଖ୍ୟ କିଏ ହେବ ତାହା ‘‘ପରେ ଜଣାପଡ଼ିବ’’।

ନିର୍ବାଚନରେ ପରାଜିତ ହୋଇଥିବା କଥାକୁ ବାରମ୍ବାର ଅସ୍ବୀକାର କରି ଆସୁଥିବା ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ ପରିସରରେ କୋଭିଡ୍‌-୧୯ ସଂକ୍ରାନ୍ତୀୟ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ଏକଥା କହିଛନ୍ତି।

Image Courtesy of Hindustan Times

ସେ କହିଥିଲେ, ଆମେ ଆଉ ଲକ୍‌ଡାଉନ୍‌ ଘୋଷଣା କରିବୁ ନାହିଁ। ଭବିଷ୍ୟତରେ କ’ଣ ହେବ କହି ପାରିବି ନାହିଁ । କିଏ ଜାଣେ ସେତେବେ‌ଳକୁ କେଉଁ ସରକାରର ଥିବ? ମୋର ଅନୁମାନ, ପରେ ସେକଥା ଜଣାପଡ଼ିବ। କିନ୍ତୁ, ମୁଁ କହିବି, ଏ ପ୍ରଶାସନ ଲକ୍‌ଡାଉନ୍‌ ଘୋଷଣା କରିବ ନାହିଁ।

ଏତିକି କହି ଟ୍ରମ୍ପ୍‌ ନିରବ ରହିଥିଲେ ଓ ଅନ୍ୟ ଅଧିକାରୀମାନେ ଏଯାବତ୍ ପ୍ରାୟ ୨୪୩,୦୦୦ ଆମେରିକୀୟଙ୍କ ଜୀବନ ନେଇଥିବା କରୋନାଭାଇରସ୍ ମହାମାରୀ ମୁକାବିଲାରେ ପ୍ରଶାସନର ଭୂମିକା ପ୍ରସଙ୍ଗରେ କହିଥିଲେ।

ଏହାପରେ, ସାମ୍ବାଦିକମାନଙ୍କର ଆଉ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ ପରିସରସ୍ଥ ‘ରୋଜ୍ ଗାର୍ଡେନ୍‌’ରେ ଚାଲିଥିବା ଏହି ସାମ୍ବାଦିକ ସମ୍ମିଳନୀରୁ ଉଠି ଚାଲି ଯାଇଥିଲେ। ସାମ୍ବାଦିକମାନେ କିନ୍ତୁ, ପଚାରି ଚାଲିଥିଲେ, ସାର୍‌, ନିର୍ବାଚନରେ ହାରିଛନ୍ତି ବୋଲି ଆପଣ କେବେ ସ୍ବୀକାର କରିବେ?

ସମ୍ବନ୍ଧିତ ଖବର