ଆଫଗାନ ସରକାରଙ୍କ ଶୀର୍ଷ ଗଣମାଧ୍ୟମ ଅଧିକାରୀଙ୍କୁ ହତ୍ୟା

କାବୁଲ : ଅଫଗାନିସ୍ତାନ ସରକାରଙ୍କ ଶୀର୍ଷ ଗଣମାଧ୍ୟମ ଏବଂ ସୂଚନା ଅଧିକାରୀଙ୍କୁ ଆଜି ତାଲିବାନମାନେ ହତ୍ୟା କରିଛନ୍ତି। ଜିଏମ୍‌ଆଇସି (ସରକାରୀ ଗଣମାଧ୍ୟମ ଏବଂ ସୂଚନା କେନ୍ଦ୍ର)ର ମୁଖ୍ୟ ଦାୱା ଖାନ୍‌ ମିନାପାଲ୍‌ଙ୍କୁ କାବୁଲରେ ହତ୍ୟା‌ କରାଯାଇଥିବା ନେଇ ସଂଘୀୟ ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି। କାବୁଲରେ ଏକ ମସଜିଦ୍‌ ନିକଟରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଦାୱା ଖାନ୍‌ ମିନାପାଲ୍‌ ମଧ୍ୟ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ୍‌ ଘନିଙ୍କ ଟିମ୍‌ରେ ଜଣେ ମୁଖପାତ୍ର। ତାଲିବାନ୍‌ ଉକ୍ତ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

ତାଲିବାନ୍‌ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ କହିଛନ୍ତି , ମିନାପାଲ୍‌ଙ୍କୁ ମୁଜାହିଦ୍ଦିନ୍ ଦ୍ବାରା ଏକ ସ୍ବତନ୍ତ୍ର ଆକ୍ରମଣରେ ମାରି ଦିଆଯାଇଛି। ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ଦଣ୍ଡିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ତାଲିବାନ୍‌ମାନେ ଅନେକ ସାମାଜିକ କର୍ମୀ , ସାମ୍ବାଦିକ, ଅମଲା ଏବଂ ବିଚାରପତିଙ୍କ ସ୍ବରକୁ ଦବାଇ ଦେବାକୁ ଚେଷ୍ଟା କରିଛନ୍ତି। ମଙ୍ଗଳବାର ମଧ୍ୟ ସୟଦ ଅବଦ ଜିଲ୍ଲାର ଗଭର୍ଣ୍ଣରଙ୍କୁ କାବୁଲରେ ହତ୍ୟା କରାଯାଇଥିଲା। ମିନାପାଲ୍‌ କାବୁଲ୍‌ରେ ବେଶ୍‌ ଲୋକପ୍ରୀୟ। ତାଲିବାନ୍‌କୁ ସେ ସବୁବେଳେ ସମାଲୋଚନା କରନ୍ତି ଏବଂ ଏପରିକି ସୋ‌ସିଆଲ ମିଡିଆରେ ତାଲିବାନ୍‌କୁ କଟାକ୍ଷ କରି ଅନେକ ପୋଷ୍ଟ୍‌ କରି ସେ ଚର୍ଚ୍ଚାରେ ଥିଲେ।

ସମ୍ବନ୍ଧିତ ଖବର