୨୦୨୦ ମସିହାରୁ ଉତ୍ତର ପ୍ରଦେଶ ସରକାରଙ୍କ ଠାରୁ ଆର୍ଥିକ ସହାୟତା ପାଇବେ ତିନ୍‌ ତଲାକ୍‌ ପୀଡ଼ିତା

ନୂଆଦିଲ୍ଲୀ: ଥଇଥାନ ବ୍ୟବସ୍ଥା ହେବାଯାଏଁ ତିନ୍‌ ତଲାକ୍‌ ପୀଡ଼ିତାମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ସହାୟତା ଦିଆଯିବ ବୋଲି ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏଥିସହ ସେମାନେ ରାଜ୍ୟ ସରକାରଙ୍କ ଠାରୁ ମାଗଣା ଆଇନଗତ ସହାୟତା ମଧ୍ୟ ପାଇବେ। ସ୍ୱାମୀଙ୍କ ଠାରୁ ପୃଥକ୍‌ ହୋଇଥିବା କିଂବା ପରିତ୍ୟକ୍ତା ହୋଇଥିବା ଅନ୍ୟାନ୍ୟ ସମସ୍ତ ଧର୍ମବିଶ୍ୱାସର ମହିଳାଙ୍କୁ ମଧ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ୨୦୨୦ ମସିହା ଠାରୁ ସମ୍ପୃକ୍ତ ମହିଳାମାନେ ଏହି ସହାୟତା ପାଇବେ।

ପ୍ରାପ୍ତ ସୂଚନା ଅନୁସାରେ, ଏହି ସହାୟତା ପାଇବା ପାଇଁ ପୀଡ଼ିତା ମହିଳାମାନଙ୍କୁ କେବଳ ‘ଏଫ୍‌ଆଇଆର୍‌’ ଏବଂ ଅଦାଲତ ମାମଲା ପ୍ରମାଣପତ୍ରର ନକଲ ଦାଖଲ କରିବାକୁ ପଡ଼ିବ। ଉତ୍ତର ପ୍ରଦେଶ ସରକାରଙ୍କର ଏହି ଯୋଜନାରୁ ୫ ହଜାର ତିନ୍‌ ତଲାକ୍‌ ପୀଡ଼ିତାଙ୍କ ସମେତ ପ୍ରାୟ ୧୦ ହଜାର ମହିଳା ଉପକୃତ ହେବେ। ଛାଡ଼ପତ୍ର ପାଇଥିବା ଅନ୍ୟାନ୍ୟ ଧର୍ମବିଶ୍ୱାସର ମହିଳାମାନେ ମଧ୍ୟ ଏହି ଯୋଜନାରୁ ସହାୟତା ପାଇବେ।

Image Source: Hindustan Times

ନ୍ୟାୟ ମିଳିବାଯାଏଁ ପୀଡ଼ିତାମାନଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ଏ ବର୍ଷ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ।

ତିନ୍‌ ତଲାକ୍‌କୁ ଅପରାଧ ବୋଲି ଘୋଷଣା କରି ୨୦୧୯ ମସିହା ଅଗଷ୍ଟ ୧ ତାରିଖ ଠାରୁ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିଛନ୍ତି। ୨୦୧୭ରେ ମଧ୍ୟ ଦେଶର ସର୍ବୋଚ୍ଚ ଅଦାଲତ ତିନ୍‌ ତଲାକ୍‌କୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର