ଟ୍ରମ୍ପ୍‌ଙ୍କ ବିରୋଧରେ ଦୁଇ ଥର ମହାଭିଯୋଗ: ପରବର୍ତ୍ତୀ ପଦକ୍ଷେପ କ’ଣ?

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆସିଛି। ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ମାତ୍ର ଦିନ କେତୋଟି ଥିବା ବେଳେ ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବଟି ଆସିଛି।

ଗୃହ ଚାଲିଥିବା ବେଳେ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ବଳପୂର୍ବକ ‘କ୍ୟାପିଟଲ୍‌ ବିଲ୍‌ଡିଙ୍ଗ୍‌’ରେ ପ୍ରବେଶ କରି ହିଂସାକାଣ୍ଡ ଘଟାଇଥିଲେ। ଏଥିପାଇଁ ରାଷ୍ଟ୍ରପତି ଟ୍ରମ୍ପ୍‌ ହିଁ ତାଙ୍କୁ ମତାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଟ୍ରମ୍ପ୍‌ଙ୍କ ଉତ୍ତ୍ୟକ୍ତ ସମର୍ଥକମାନେ ‘କ୍ୟାପିଟଲ୍‌’ ମଧ୍ୟରେ ଭଙ୍ଗାରୁଜା କରିବା ସହ ଦଙ୍ଗାଗୋଳ କରିବାରୁ ଜଣେ ପୁଲିସ ଅଧିକାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଥିଲା।

Image Courtesy of Zee News

ହିଂସା ଉଦ୍ରେକ ଅଭିଯୋଗରେ ଟ୍ରମ୍ପ୍‌ଙ୍କୁ ବହିଷ୍କାର ନିମନ୍ତେ ଆଗତ ମହାଭିଯୋଗ ପ୍ରସ୍ତାବରେ ଡେମୋକ୍ରାଟ୍‌ଙ୍କ ସମେତ ୧୦ଜଣ ରିପବ୍ଲିକାନ୍‌ ମଧ୍ୟ ଭୋଟ୍‌ ଦେଇଥିଲେ। ଏହି ମହାଭିଯୋଗ ପ୍ରସ୍ତାବ ଗୃହରେ ପାରିତ ହୋଇଥିଲେ ମଧ୍ୟ ସିନେଟ୍‌ରେ ଏହାର ବିଚାର ହୋଇନାହିଁ। ଆସନ୍ତା ମଙ୍ଗଳବାର ଜାନୁଆରି ୧୯ ତାରିଖ ଦିନ ସିନେଟ୍‌ ଏହି ମହାଭିଯୋଗର ବିଚାର କରିବ। ତା’ପର ଦିନ ଜାନୁଆରି ୨୦ରେ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ବୋଲି ପୂର୍ବରୁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି।

Image Courtesy of India Today

ଏହି ବିଚାର ପ୍ରକ୍ରିୟା କିଭଳି ହେବ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ସିନେଟ୍‌ର କୌଣସି ରିପବ୍ଲିକାନ୍‌ ଭୋଟ୍‌ ଦେବେ କି, ନାହିଁ ତାହା ମଧ୍ୟ କହିବା ସମ୍ଭବପର ନୁହେଁ। ଟ୍ରମ୍ପ୍‌ କ୍ଷମତାରୁ ଚାଲିଯିବା ପରେ ଏହି ବିଚାର କରାଗଲେ ବି ଏହା ତାଙ୍କ ପାଇଁ ଭବିଷ୍ୟତରେ ଅଡୁଆ ସୃଷ୍ଟି କରିବ। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଆଶାୟୀ ଥିବା ଟ୍ରମ୍ପ୍‌ଙ୍କ ପାଇଁ ସିନେଟ୍‌ର ବିଚାର ବାଧକ ସାଜିପାରେ।
ଆମେରିକାର ସମ୍ବିଧାନ ଅନୁସାରେ, ମହାଭିଯୋଗ ଅର୍ଥ ପ୍ରତିନିଧି ସଦନ ରାଷ୍ଟ୍ରପତିଙ୍କୁ କୌଣସି ବଡ଼ ଅପରାଧ କିଂବା ଛୋଟ ଅପରାଧ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା।

ଯଦି ନିମ୍ନ ସଦନ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପାରିତ କରେ, ତାହା ସିନେଟ୍‌କୁ ବିଚାର ପାଇଁ ପଠାଯାଏ। ରାଷ୍ଟ୍ରପତିଙ୍କୁ ବହିଷ୍କାର କରିବାକୁ ସିନେଟ୍‌ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକ କରେ। କିନ୍ତୁ, ତାହା ପୂର୍ବରୁ ସିନେଟ୍‌ ମହାଭିଯୋଗର ବିଚାର କରି ରାଷ୍ଟ୍ରପତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ଆବଶ୍ୟକ। ସାମ୍ପ୍ରତିକ ପରିସ୍ଥିତିରେ ଟ୍ରମ୍ପ୍‌ କ୍ଷମତାରୁ ଚାଲିଯିବା ପରେ ମଧ୍ୟ ସିନେଟ୍‌ ମହାଭିଯୋଗର ବିଚାର କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିପାରେ। ଏ ଭଳି ହେଲେ ସେ ଭବିଷ୍ୟତରେ ଆଉ ରାଷ୍ଟ୍ରପତି ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ପାରିବେ ନାହିଁ।

ସମ୍ବନ୍ଧିତ ଖବର