ଟ୍ରମ୍ପ୍‌-କିମ୍‌ ଆଲୋଚନା ପାଇଁ ପ୍ରୟାସ ଆରମ୍ଭ

ବିଶ୍ୱାସ ସୃଷ୍ଟି ପାଇଁ ଉଭୟ ରାଷ୍ଟ୍ର ସହମତ

ଓ୍ଵାସିଂଟନ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଏବେ ଆମେରିକା ସହ ଶାନ୍ତି ଆଲୋଚନା ପାଇଁ ତୟାର ହୋଇଥିବାରୁ ଉଭୟ ରାଷ୍ଟ୍ର ମଧ୍ୟରେ ବିଶ୍ୱାସ ସୃଷ୍ଟିକାରୀ ପ୍ରୟାସ ବଢ଼ାଇବାକୁ ଗୁୁରୁତ୍ୱାରୋପ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କିମ୍‌ ଜଙ୍ଗ୍‌ଙ୍କ ପ୍ରୟାସକୁ ସ୍ୱାଗତ କରିଛନ୍ତି ଏବଂ ଉତ୍ତେଜନା ହ୍ରାସ ପାଇଁ ଦ୍ୱିପାକ୍ଷିକ ଶାନ୍ତି ଆଲୋଚନା ପାଇଁ ସବୁଜ ସଙ୍କେତ ଦେଇଛନ୍ତି। କିମ୍‌ଙ୍କ ଏହି ପ୍ରୟାସ ବିଶ୍ୱ ଶାନ୍ତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଟ୍ରମ୍ପ୍‌ କହିଛନ୍ତି। ଆଜି ହ୍ଵାଇଟ୍‌ ହାଉସ୍‌ ପ୍ରବକ୍ତା ସାରା ସାଣ୍ଡେର୍ସ କହିଛନ୍ତି ଯେ ଉତ୍ତର କୋରିଆ ସହ ଆଲୋଚନା ପାଇଁ ଆମେରିକା ପ୍ରସ୍ତୁତ, କିନ୍ତୁ ଏହା ପୂର୍ବରୁ ନିରସ୍ତ୍ରୀକରଣ ଦିଗରେ ଉତ୍ତର କୋରିଆର ଅଙ୍ଗୀକାରବଦ୍ଧତା ଏବଂ ଏ ବାବଦରେ ବାସ୍ତବ ପ୍ରୟାସକୁ ଅପେକ୍ଷା କରାଯାଇଛି । ଉତ୍ତର ଓ ଦକ୍ଷିଣ କୋରିଆ ପ୍ରତିନିଧି ଦଳ ଏ ନେଇ ଦ୍ୱିପାକ୍ଷିକ ଆଲୋଚନାରେ ଶାନ୍ତି ପ୍ରକ୍ରିୟା ପାଇଁ ଉପାୟ ଖୋଜିଛନ୍ତି ଏବଂ ଏହାକୁ ଉତ୍ତର କୋରିଆ ସମ୍ମାନ ଦେବ ବୋଲି ସେ କହିଛନ୍ତି। ଉତ୍ତର କୋରିଆ ପ୍ରସଙ୍ଗରେ ବିଗତ ୨ ଦିନ ଭିତରେ ଟ୍ରମ୍ପ୍‌ ବିଭିନ୍ନ ବିଶ୍ୱନେତାଙ୍କ ସହ ଆଲୋଚନା କରିଥିବା ସାଣ୍ଡେର୍ସ କହିଛନ୍ତି। ଅନ୍ୟପକ୍ଷରେ ଉତ୍ତର କୋରିଆ ମଧ୍ୟ ନିଜ ଉପରେ ଲାଗୁ ହୋଇଥିବା କଠୋର କଟକଣାରୁ ମୁକ୍ତି ପାଇବା ପାଇଁ ଆମେରିକା ଉପରେ ଚାପ ସୃଷ୍ଟି କରିଛି। ଦ୍ୱିପାକ୍ଷିକ ଶାନ୍ତି ଆଲୋଚନା ଆରମ୍ଭ ପୂର୍ବରୁ ଆମେରିକା କଟକଣା ହ୍ରାସ ଦିଗରେ ପଦକ୍ଷେପ ନେବା ଜରୁରୀ ଏବଂ ଉତ୍ତର କୋରିଆର ସୁରକ୍ଷା ପାଇଁ ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେବାକୁ ଦାବି କରିଛି। ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ବିଚକ୍ଷଣ କୂଟନୀତିର ପରିଚୟ ଦେଇ ଦକ୍ଷିଣ କୋରିଆ ସହିତ ସଂପର୍କ ବଢ଼ାଇବାରେ ସଫଳ ହୋଇଥିବାରୁ ଏବେ ଆମେରିକା ତା’ର ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ ହୋଇଛି ବୋଲି କୁହାଯାଉଛି । ନିକଟରେ ଦୁଇ କୋରିଆ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ବେଳେ ଏହା ପୂର୍ବରୁ କିମ୍‌ଙ୍କ ଭଉଣୀ କିମ୍‌୍‌ ୟୋ ଜଙ୍ଗ୍‌୍‌ଙ୍କ ବହୁ ଚର୍ଚ୍ଚିତ ଦକ୍ଷିଣ କୋରିଆ ଗସ୍ତ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। କିମ୍‌ ୟୋ ତାଙ୍କ ଯାଦୁକରୀ ବ୍ୟକ୍ତିତ୍ୱ ବଳରେ ଦକ୍ଷିଣ କୋରିଆ ଜନତାଙ୍କ ମଧ୍ୟରେ ବଳିଷ୍ଠ ଛାପ ଛାଡ଼ିବାରେ ସକ୍ଷମ ହୋଇଥିଲେ। ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାତାବରଣ ପାଇଁ ଉଭୟ ଦେଶର ନେତାମାନେ ଆଶାବାଦୀ ରହିଥିବା ବେଳେ କିମ୍‌ ଜଙ୍ଗ୍‌ଙ୍କ ପଦକ୍ଷେପକୁ ଦକ୍ଷିଣ କୋରିଆର ଜନତା ମଧ୍ୟ ସମର୍ଥନ କରୁଛନ୍ତି। ଉତ୍ତର କୋରିଆର ନାଗରିକ ଦକ୍ଷିଣ କୋରିଆର ସମର୍ଥନକୁ ସ୍ୱାଗତ କରିଥିବା ବେଳେ ଏ କ୍ଷେତ୍ରରେ ଚୀନ୍‌ର ଭୂମିକା ଏବେ ଗୌଣ ହୋଇଯାଇଛି। କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ନୀତି ଏବଂ ଚିନ୍ତାଧାରାକୁ ସକରାତ୍ମକ ଢଙ୍ଗରେ ପରିବେଷଣ କରିବାକୁ କୂଟନୀତିଜ୍ଞମାନେ ଭରପୂର ପ୍ରୟାସ ଚଳାଇଛନ୍ତି। ତେବେ ଦକ୍ଷିଣ କୋରିଆ ସହିତ ସଂପର୍କ ବଢ଼ାଇ ଆମେରିକାକୁ କୋରିଆ ଉପଦ୍ୱୀପରେ ଦୁର୍ବଳ କରିବା ପାଇଁ କିମ୍‌ଙ୍କ ରଣନୀତି ଏବେ ସଫଳ ହେଉଥିବାରୁ ଜାପାନ ଏବେ ଅଧିକ ସତର୍କ ହୋଇଉଠିଛି।

ସମ୍ବନ୍ଧିତ ଖବର