ଏପେକ୍‌ ସମିଟ୍‌ରେ ମୋଦିଙ୍କୁ ଭୂରିଭୂରି ପ୍ରଶଂସା କଲେ ରାଷ୍ଟ୍ରପତି ଟ୍ରମ୍ପ୍‌

ଭାରତ ପରି ଏକ ବିଶାଳ ଦେଶ ଓ ଏହାର ବିପୁଳ ଜନତାଙ୍କୁ ଏକାଠି କରିବାରେ ମୋଦି ‘ଅତ୍ୟନ୍ତ ସଫଳ’ ହୋଇଛନ୍ତି

ଦାନାଗ୍‌: ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭୁରିଭୁରି ପ୍ରଶଂସା କରିଛନ୍ତି। ଭାରତ ପରି ଏକ ବିଶାଳ ଦେଶ ଓ ଏହାର ବିପୁଳ ଜନତାଙ୍କୁ ଏକାଠି କରିବାରେ ମୋଦି ‘ଅତ୍ୟନ୍ତ ସଫଳ’ ହୋଇଛନ୍ତି ବୋଲି କହିଛନ୍ତି ଟ୍ରମ୍ପ୍‌।

ଭିଏତ୍‌ନାମ ଠାରେ ଚାଲିଥିବା ‘ଏସିଆ ପାସିଫିକ୍‌ ଇକୋନୋମିକ୍‌ କୋପରେସନ୍‌’ (ଏପେକ୍‌)ର ସିଇଓ ସମ୍ମିଳନୀରେ ଆଜି ଉଦ୍‌ବୋଧନ ଦେବା ଅବସରରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ତା’ର ସାର୍ବଭୌମତ୍ୱର ୭୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିଛି। ତେବେ, ଭାରତ ତା’ର ଅର୍ଥନୀତିର ଜଗତ୍‌କରଣ କରିବା ଦ୍ୱାରା ଭାରତୀୟ ଅର୍ଥନୀତିରେ ଆଶାତୀତ ବୃଦ୍ଧି ଘଟିଛି। ଏବଂ ଏହାର ମଧ୍ୟବର୍ଗୀୟ ଜନତାଙ୍କ ପାଇଁ ନୂତନ ସୁଯୋଗ ଓ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ ହୋଇଛି। ଭାରତ ପରି ଏକ ବିଶାଳ ଦେଶ ଓ ଏହାର ବିପୁଳ ଜନତାଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଅହରହ କାର୍ଯ୍ୟ କରୁଛନ୍ତି, ଏବଂ ସେ ଏଥିରେ ଆଶାତୀତ ସଫଳତା ମଧ୍ୟ ହାସଲ କରିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍‌।

ଏହି ଅବସରରେ ସୂଚନା ଦେଇ ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି, ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ (ଇଣ୍ଡୋ- ପାସିଫିକ୍‌ ରିଜିଅନ୍‌)ରେ ଥିବା ଯେ କୌଣସି ଦେଶ ସହ ଦ୍ୱିପାକ୍ଷିକ ବୁଝାମଣା ଭିତ୍ତିରେ କାର୍ଯ୍ୟ କରିବା ପାଇଁ ଆମେରିକା ପ୍ରସ୍ତୁତ; ତେବେ ଏଥିପାଇଁ ଏକମାତ୍ର ସର୍ତ୍ତ ହେଉଛି, ‘ପରସ୍ପର ପ୍ରତି ସମ୍ମାନ ଏବଂ ପରସ୍ପରର ଲାଭ।’ ସଂପ୍ରତି ବାଣିଜ୍ୟ କ୍ଷେତ୍ରରେ ଚାଲିଥିବା ସ୍ଥାୟୀ ନିୟମଭଙ୍ଗକୁ ଆମେରିକା ଆଉ ବରଦାସ୍ତ କରିବ ନାହିଁ। ବରଂ ବାଣିଜ୍ୟ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସମାନତା ଭିତ୍ତିରେ ନୂତନ ନୀତି ନିର୍ଦ୍ଧାରଣ କରିବାକୁ ଯୋର ଦେବ। ଏବେ ଠାରୁ ଯୁକ୍ତରାଷ୍ଟ୍ର ଆମେରିକା ଯେତେବେଳେ ଯଦି କୌଣସି ଅନ୍ୟ ରାଷ୍ଟ୍ର କିମ୍ବା ଅନ୍ୟ ବ୍ୟକ୍ତି ସହ କୌଣସି ପ୍ରକାରର ନୂତନ ବାଣିଜ୍ୟିକ ବା ବ୍ୟାବସାୟିକ ସଂପର୍କ ଆରମ୍ଭ କରିବ ସେତେବେଳେ ଆମେ ଆଶା ରଖିବୁ ଯେପରି ଅପରପକ୍ଷ ନିୟମର ପାଳନ କରିବା ସହ ଆମ ପ୍ରତି ବିଶ୍ୱସ୍ତ ରହେ ବୋଲି ସେ ଏହି ଅବସରରେ ସୂଚାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର