ଗ୍ରାନାଇଟ୍‌ ଖଣିରେ ବିସ୍ଫୋରଣ, ୧୨ ମୃତ; ମୃତକଙ୍କ ମଧ୍ୟରେ ଓଡ଼ିଶାର ଶ୍ରମିକ

କୁର୍ନୋଲ : ଆନ୍ଧ୍ର ପ୍ରଦେଶ କୁର୍ନୋଲ ଜିଲ୍ଲାର ହାଥି ବେଲ୍‌ଗାଲ ଗ୍ରାମ ନିକଟରେ ଥିବା ଏକ ଗ୍ରାନାଇଟ୍‌ ଖଣିରେ ଆଜି ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ୧୨ ଜଣ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି। ଏଥିରେ ୮ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଖଣି ଅଂଚଳରେ ଥିବା ଏକ ଅସ୍ଥାୟୀ କ୍ୟାମ୍ପ୍‌ରେ ମହଜୁଦ୍‌ ଥିବା ଜିଲେଟିନ୍‌ ଅଚାନକ ବିସ୍ଫୋରଣ ଘଟିବାରୁ ୨୦ ଜଣ ଶ୍ରମିକ ଏହାର ଶିକାର ହୋଇଛନ୍ତି। ଏହି ଶ୍ରମିକମାନେ ଓଡ଼ିଶା, ବିହାର ଓ ଛତିଶଗଡ଼ର ବୋଲି ଜଣାପଡ଼ିଛି। ବିସ୍ଫୋରଣ ପରେ ଏକ ଡିଜେଲ ବୋଝେଇ ଟ୍ରକ୍‌ ମଧ୍ୟ ଜଳି ଯାଇଥିବା ନିକଟସ୍ଥ ଗ୍ରାମବାସୀ ପ୍ରକାଶ କରିଛନ୍ତି। ମୃତକମାନଙ୍କ ଶରୀର ଭୟଙ୍କର ଭାବେ ଜଳି ଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ। ଆହତ ହୋଇଥିବା ଲୋକଙ୍କ ଶରୀର ମଧ୍ୟ ୭୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବା ଜଣାପଡ଼ିଛି । ପୁଲିସ, ଏନ୍‌ଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଖଣି କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କ୍ୟାମ୍ପ୍‌ରେ ଶ୍ରମିକମାନେ ରୋଷେଇ କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଛି । ସେହି ସ୍ଥାନରେ ଜିଲେଟିନ୍‌ ମହଜୁଦ ଥିଲା ବୋଲି କୁହାଯାଉଛି। ନିକଟସ୍ଥ ଗ୍ରାମବାସୀମାନେ ଏହି ଖଣି ଖନନକୁ ବିରୋଧ କରି ଅନେକ ଥର ଆନ୍ଦୋଳନ କରିଥିଲେ। ପୂର୍ବରୁ ମଧ୍ୟ ବିସ୍ପୋରଣ ଯୋଗୁଁ ଏଠାରେ ଅନେକ କ୍ଷୟକ୍ଷତି ଘଟିଥିବା ରିପୋର୍ଟ ମିଳିଛି ।

ସମ୍ବନ୍ଧିତ ଖବର