ଜୟପୁର : ସାରା ଜୀବନ ଉପେକ୍ଷିତ ହୋଇ ବଞ୍ଚିଲେ। ମୃତ୍ୟୁ ପରେ ବି ଶବକୁ ମିଳିଲାନି ସମ୍ମାନ। ୯ଘଣ୍ଟା ଧରି ମେଡିକାଲରେ ପଡ଼ି ରହିଲା ଶବ। ପତ୍ନୀଙ୍କ ବହୁ କାକୁତି ମିନତୀ ପରେ ଶେଷରେ ସମରା ସାନ୍ତାଙ୍କ ଶବ ନେବାକୁ ମିଳିଲା ଆମ୍ବୁଲାନ୍ସ। ଜୟପୁର ମେଡିକାଲରେ ଏଭଳି ଅଭାବନୀୟ ଘଟଣା ପୁଣି ଚର୍ଚ୍ଚାର ବିଷୟ ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଜାଟିଆଗୁଡାର ସମରା ସାନ୍ତା (୪୫)। ବର୍ଷକ ତଳେ କାମ ସନ୍ଧାନରେ ଜୟପୁର ସହରକୁ ଆସିଥିଲେ। ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ନମିଳିବାରୁ ଖୋଲାମେଲାରେ ଜୀବନ ବିତାଇଥିଲେ। ତେବେ ଗତ କିଛି ଦିନ ତଳେ ଲଗାଣ ବର୍ଷାରେ ଭିଜି ଯିବାରୁ ଜ୍ୱରରେ ଆକ୍ରାନ୍ତ ହେଲେ। ୫ଦିନ ଧରି ଚିକିତ୍ସାଧୀନ ରହିବା ପରେ ଗତକାଲି ଆଖି ବୁଜିଲେ। ପୂରା ଜୀବନ ସଂଘର୍ଷ କରିଥିବା ସମାରଙ୍କ ପରିବାରକୁ ମୃତ୍ୟୁ ପରେ ବି ଦୁର୍ଦଶା ପିଛା ଛାଡ଼ି ନଥିଲା। ଜୟପୁର ମେଡିକାଲରେ ଶବ ବାହକ ଗାଡ଼ି ନଥିବାରୁ ଚିନ୍ତାରେ ପଡ଼ି ଯାଇଥିଲେ ପତ୍ନୀ ରାମାରା ସାଆନ୍ତା। ପାଖରେ ଟଙ୍କା ନଥିବାରୁ ସ୍ୱାମୀଙ୍କ ଶବ ଗାଁକୁ ନେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଯାହାଫଳରେ ମେଡିକାଲର ପୁରୁଷ ଓ୍ଵାର୍ଡରେ ଦୀର୍ଘ ୯ଘଣ୍ଟା ଧରି ଶବ ପଡ଼ି ରହିଥିଲା।
ଜୟପୁର ମେଡିକାଲକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘୋଷଣା କରାଯିବା ପରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଏଠାକୁ ବଦଳି କରି ଅଣାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ଶବ ବାହକ ଗାଡ଼ି ମିଳିପାରିଲା ନାହିଁ। ଅନ୍ୟପଟେ ପୌରପାଳିକା ପକ୍ଷରୁ ଗୋଟିଏ ଶବ ବାହକ ଗାଡ଼ି କିଛି ମାସ ତଳେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଦିଆଯାଇଥିଲା। ଯାହାକୁ ନେଇ ପରବର୍ତୀ ସମୟରେ ରାଜନୀତି ହେବାରୁ ଏହି ଗାଡ଼ିକୁ ବି ଏବେ ବନ୍ଦ କରି ଦିଆଯାଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛ।