ଦିଲ୍ଲୀ ପୁଲିସର ‘ସ୍ପାଇଡର ମ୍ୟାନ’, ତିନିଜଣ ଲୋକଙ୍କୁ ବଞ୍ଚାଇବା ପାଇଁ ଗ୍ରିଲ ଜରିଆରେ ତୃତୀୟ ମହଲାରେ ପହଞ୍ଚିଲେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଗ୍ରେଟର କୈଳାସ-୧ରେ ଶୁକ୍ରବାର ସକାଳେ ଏକ  ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ନିଆଁ ପ୍ରଥମେ ଦ୍ବିତୀୟ ମହଲାରେ ଲାଗିଥିଲା କିନ୍ତୁ ଉଦ୍ଧାର କାର୍ଯ୍ୟ ବେଳକୁ ନିଆଁ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା।

ଘଟଣାକୁ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ସକାଳ ୬ଟା ୫୫ରେ ବିଲ୍ଡିଂର ଦ୍ବିତୀୟ ମହଲା​‌ରେ ପ୍ରଥମେ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ନିଆଁ ତୃତୀୟ ମହଲାକୁ ମଧ୍ୟ ବ୍ୟାପିଯାଇଥିଲା । ତୃତୀୟ ମହଲାରେ ରହୁଥିବା ଅମିତ ସୁଧାକର (୫୬), ତାଙ୍କ ପତ୍ନୀ ଶାଳିନୀ (୪୮) ଏବଂ ମା ସୁଧା (୮୭) ସେଠା​‌ରେ ଫସିରହିଥିଲେ । ନିଆଁ ଲାଗିବା ପରେ ସମସ୍ତେ ବାଲକୋନିକୁ ଚାଲି ଆସିଥିଲେ । କିନ୍ତୁ ବାଲକୋନିରେ ଲୁୁହା ଗ୍ରିଲ ଲାଗିଥିବାରୁ ବାହାରକୁ ଆସିବା ସମ୍ଭବପର ହୋଇ ନ ଥିଲା ।

ଏତିକିବେଳେ ଗ୍ରେଟର କୈଳାସ ଥାନାର ହେଡ କନଷ୍ଟେବଳ ସୁଶୀଲାଲ ଓ କନେଷ୍ଟବଳ ସନ୍ଦୀପ ସେଠାରେ ପହଞ୍ଚିଥିଲେ। ନିଜ ଜୀବନକୁ ବାଜି ଲଗାଇ ଗ୍ରିଲ ସାହାଯ୍ୟରେ ତୃତୀୟ ମହଲା ପର୍ଯ୍ୟନ୍ତ ପହଞ୍ଚି ଗ୍ରିଲ କାଟି ଲୋକଙ୍କୁ ଉଦ୍ଧାର କରିଥିଲେ। ପୁଲିସ କର୍ମଚାରୀଙ୍କୁ ସ୍ପାଇଡର ମ୍ୟାନ ଭଳି ତୃତୀୟ ମହଲାରେ ଚଢ଼ୁଥିବା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର