ଆକାଂକ୍ଷୀ ଭାରତରୁ… ଯତ୍ନବାନ ସମାଜ

ନୂଆଦିଲ୍ଲୀ : ଲୋକମାନଙ୍କ ଜୀବନଯାପନକୁ ସରଳ କରିବା ଲାଗି ଚଳିତ ବର୍ଷ ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦେଶର ନାଗରିକଙ୍କୁ ସ୍ବାସ୍ଥ୍ୟ, ସମୃଦ୍ଧି ଓ କଲ୍ୟାଣ ପଥରେ ଆଗେଇ ନେବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ବଜେଟ୍‌ରେ ତିନିଟି ଥିମ୍ ରଖାଯାଇଛି। ସେଗୁଡ଼ିକ ହେଉଛି: ଆକାଂକ୍ଷୀ ଭାରତ, ସମସ୍ତଙ୍କ ଆର୍ଥିକ ବିକାଶ ଓ ଏକ ଯତ୍ନବାନ ସମାଜ।

ଆକାଂକ୍ଷୀ ଭାରତ: ଏହା ଅନ୍ତର୍ଗତ ସମାଜର ସମସ୍ତ ବର୍ଗର ଜୀବନକୁ ଉନ୍ନତ କରିବାକୁ ପ୍ରୟାସ କରାଯିବ। ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ, ଶିକ୍ଷା ଓ ରୋଜଗାର ଭଳି ସୁବିଧା ପ୍ରଦାନ କରାଯିବ। ଏଥିପାଇଁ କୃଷି, ଜଳସେଚନ ଓ ଗ୍ରାମୀଣ ବିକାଶ, ଆରୋଗ୍ୟ, ଜଳ ଏବଂ ସ୍ବଚ୍ଛତା, ଶିକ୍ଷା ଓ କୌଶଳ ଉପରେ ଧ୍ୟାନ ଦିଆଯିବ।

ସମସ୍ତଙ୍କ ଆର୍ଥିକ ବିକାଶ: ଏଥିରେ ଆର୍ଥିକ ସୁଧାର କରାଯିବ ଏବଂ ଘରୋଇ କ୍ଷେତ୍ରକୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯିବ ଯଦ୍ବାରା ଉଚ୍ଚ ଉତ୍ପାଦକତା ଓ ଉନ୍ନତ କାର୍ଯ୍ୟ କୁଶଳତାକୁ ନିଶ୍ଚିତ କରାଯାଇପାରିବ। ଏଥିପାଇଁ ଉଦ୍ୟୋଗ, ବାଣିଜ୍ୟ ଓ ନିବେଶ, ଭିତ୍ତିଭୂମି ଓ ନୂଆ ଅର୍ଥ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯିବ।

ଏକ ଯତ୍ନବାନ ସମାଜ: ସମାଜକୁ ମାନବିକତା ଓ କରୁଣା ଭାବନା ସହିତ ଜଡ଼ିତ କରାଯିବ। ଏଥିପାଇଁ ମହିଳା ଏବଂ ଶିଶୁ, ସାମାଜିକ କଲ୍ୟାଣ, ସଂସ୍କୃତି ଏବଂ ପର୍ଯ୍ୟଟନ ତଥା ପରିବେଶ ଏବଂ ଜଳବାୟୁ ପରିବର୍ତନ ଉପରେ ଧ୍ୟାନ ଦିଆଯିବ।

ଏହି ତିନି ବିଷୟକୁ ଦୁର୍ନୀତି ମୁକ୍ତ ନୀତି ଉପରେ ଆଧାରିତ ଉତ୍ତମ ପ୍ରଶାସନ ଓ ସୁଦୃଢ଼ ବିତ୍ତୀୟ କ୍ଷେତ୍ର ସହ ଯୋଡ଼ାଯିବ। ଚଳିତ ବର୍ଷର ବଜେଟ୍‌କୁ ଦୁଇଟି ତଥ୍ୟ ପୃଷ୍ଠଭୂମି ଉପରେ ପ୍ରସ୍ତୁତ କରାଯାଇଛି। ପ୍ରଥମଟି ହେଉଛି ମେସିନ୍ ଲର୍ଣ୍ଣିଂ, ରୋବୋଟିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଆନାଲିଟିକ୍ସ, ବାୟୋ-ଇନଫର୍ମେଟିକ୍ସ ଭଳି ପ୍ରଯୁକ୍ତିର ପ୍ରସାର ସମ୍ପର୍କିତ ରହିଛି। ଦ୍ବିତୀୟଟି ହେଉଛି କାର୍ଯ୍ୟ କରୁଥିବା ବର୍ଗର ଲୋକ (୧୫-୬୫ ବର୍ଷ)ର ଲୋକଙ୍କ ସଂଖ୍ୟା ଦେଶରେ ବର୍ତ୍ତମାନ ସର୍ବାଧିକ ସ୍ତରରେ ରହିଛି। ଡିଜିଟାଲ୍ ବିପ୍ଳବରେ ଭାରତକୁ ନେତୃତ୍ବ ନେବାର ସୁଯୋଗ ପ୍ରଦାନ କରିବା ଲାଗି ସରକାର କେତେକ ଲକ୍ଷ୍ୟ ରଖିଛନ୍ତି। ସେଗୁଡ଼ିକ ହେଉଛି:

ଡିଜିଟାଲ୍ ପ୍ରଶାସନ ଜରିଆରେ ସେବାକୁ ଅବାଧ ରୂପେ ଉପଲବ୍ଧ କରିବା
ରାଷ୍ଟ୍ରୀୟ ସ୍ତରର ଭିତ୍ତିଭୂମି ସ୍ଥାପନ କରି ଲୋକଙ୍କ ଜୀବନର ଭୌତିକ ଗୁଣବତ୍ତାକୁ ଉନ୍ନତ କରିବା
ବିପଦ ନିରୋଧୀ ବ୍ୟବସ୍ଥା ଜରିଆରେ କ୍ଷୟକ୍ଷତିକୁ କମ୍ କରିବା
ପେନସନ୍ ଓ ବୀମା ଜରିଆରେ ସାମାଜିକ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା

ସମ୍ବନ୍ଧିତ ଖବର