ୟୁପି ପୁଲିସଙ୍କ ପାଇଁ ଦେବଦୂତ ସା‌ଜିଲେ ହାଜି ସାବ୍‌, ହିଂସା କବଳରୁ ରକ୍ଷା କଲେ

ଲକ୍ଷ୍ନୌ : ସିଏଏକୁ ବିରୋଧ କରି ଏବେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଓ ହିଂସା ଦେଖିବାକୁ ମିଳୁଛି। କିନ୍ତୁ ଆନ୍ଦୋଳନ ସତ୍ତ୍ବେ କିଛି ସ୍ଥାନରେ ମଧ୍ୟ ସାହସିକତା ଏବଂ ଅନ୍ୟକୁ ସହଯୋଗର ହାତ ବଢ଼ାଇବା ଭଳି ଉଦାହରଣ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଫିରୋଜାବାଦ୍‌ରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଗତ ୨୦ ତାରିଖରେ ଫିରୋଜାବାଦ୍‌ରେ ଅଜୟ କୁମାର ନାମକ ଜ‌ଣେ ପୁଲିସ କର୍ମୀ ହିଂସାର ଶିକାର ହୋଇଥିଲେ। କିଛି ଉପଦ୍ରବକାରୀ ତାଙ୍କୁ ‌ଘେରିଯାଇ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ ଏବଂ ହାତରେ ପ୍ରହାର କରାଯାଇଥିଲା। ଏଭଳି ହିଂସାରୁ ସେ ଜୀବନ ରକ୍ଷା କରି ବର୍ତ୍ତି ପାରିବେ ବୋଲି ତାଙ୍କର ଆଶା ନଥିଲା। କିନ୍ତୁ ଏହି ସମୟ‌ରେ ତାଙ୍କ ପାଇଁ ଦେବଦୂତ ସାଜିଥିଲେ ହାଜି ସାବ୍‌। ହାଜି କ୍ବାଦିର ଆସି ଅଜୟଙ୍କୁ ଦଙ୍ଗାକାରୀଙ୍କଠାରୁ ଉଦ୍ଧାର କରିଥିଲେ। ସେ ଅଜୟଙ୍କୁ ତାଙ୍କ ବାସଭବନକୁ ନେଇଯାଇଥିଲେ ଏବଂ ତାଙ୍କୁ ପାଣି ପିଇବାକୁ ଦେବା ସହ ପୋଷାକ ଦେଇଥିଲେ। ଅଜୟ ତାଙ୍କ ଘରେ ସୁରକ୍ଷିତ ଅଛନ୍ତି ବୋଲି ‌ସେ ତାଙ୍କୁ ନିଶ୍ଚିତ କରାଇଥିଲେ ଏବଂ ପରେ ତାଙ୍କୁ ଥାନାରେ ନେଇ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର