ଅପର ଜୋଙ୍କ ପାଣି ବିବାଦ: ଜିଲ୍ଲା ପ୍ରଶାସନ ଓ ଚାଷୀ ଗୋଷ୍ଠୀ ମଧ୍ୟରେ ଚାଲିଛି ମାରାଥନ ବୈଠକ, ହୋଇପାରୁନି ସମାଧାନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ରବି ଚାଷ ପାଇଁ ଅପର ଜୋଙ୍କ ପାଣି ଆବଣ୍ଟନକୁ ନେଇ ଉପରମୁଣ୍ଡ ଓ ତଳମୁଣ୍ଡ ଚାଷୀ ଗୋଷ୍ଠୀ ଜିଦ୍‌ରେ ଅଟଳ ରହିଛନ୍ତି। ଉଭୟ ଚାଷୀ ଗୋଷ୍ଠୀଙ୍କୁ ନେଇ ଜିଲ୍ଲା ପ୍ରଶାସନ ବାରମ୍ବାର ମାରାଥନ ବୈଠକ କରୁଛି। ‌ହେଲେ ଚାଷୀମାନେ ନିଜ ନିଜ ଜିଦ୍‌ରେ ଅଡ଼ି ରହୁଛନ୍ତି। ଉପରମୁଣ୍ଡ ଚାଷୀଙ୍କୁ ଜିରୋ ହେଡ଼ରୁ ପାଣି ନଦେବା ପର୍ଯ୍ୟନ୍ତ ଡ୍ୟାମ୍‌ର ମୁଖ୍ୟ କେନାଲଠାରେ ଧାରଣାରେ ବସିଛନ୍ତି।

ଏହାର ସମାଧାନ ପାଇଁ ଶୁକ୍ରବାର ନୂଆପଡ଼ା ଜିଲ୍ଲାପାଳଙ୍କ ନିର୍ଦେଶରେ ଉଭୟ ଗୋଷ୍ଠୀର ଚାଷୀନେତାମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ଏକ ମାରାଥନ ବୈଠକ କରିଥିଲା। ଏହି ବୈଠକରେ ଜିଲ୍ଲାପାଳ ସ୍ବଧାଦେବ ସିଂହ, ଏସପି ରାହୁଲ ଜୈନ, ସାଂସଦ ବସନ୍ତ ପଣ୍ଡା, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାସ ସିଂ ମାଝୀ, ଓକିଲ ସଂଘର ପ୍ରସନ୍ନ ପାଢ଼ୀ, ପ୍ରସନ୍ନ ଚନ୍ଦ୍ର ମହପାତ୍ର, ଅଶୋକ ଦେବାଙ୍ଗନ ସହ ଉପରମୁଣ୍ଡ ଚାଷୀ ଭରତଲାଲ ରାଉତ, କମଲେଶ ଦୀକ୍ଷିତ, ପ୍ରକାଶ ଦୀକ୍ଷିତ, ତଳମୁଣ୍ଡ ଚାଷୀନେତା ରାଜେଶ ନିଗମ, ଧନୀ ସାହୁ ପ୍ରମୋଦ ସାହୁ ‌ବୈଠକରେ ଉପସ୍ଥିତଥିଲେ। ଜିଲ୍ଲାପାଳ କହିଥିଲେ ଯେ ଚଳିତ ବର୍ଷ ଉପରମୁଣ୍ଡ ଚାଷୀମାନଙ୍କ ମଧ୍ୟରୁ କିଛି ମାତ୍ରାରେ ଚାଷ କରିବା ପାଇଁ ପାଣି ଦିଆଯିବ। ଏହାକୁ ତଳମୁଣ୍ଡ ଚାଷୀ ବିରୋଧ କରିଥିଲେ।

ପାଣି ପଞ୍ଚାୟତ ନିୟମ ଅନୁଯାୟୀ ଗୋଟିଏ ବର୍ଷ ଉପରମୁଣ୍ଡ ଓ ଅନ୍ୟ ବର୍ଷ ତଳମୁଣ୍ଡକୁ ପାଣି ଦେବାର ନିଷ୍ପତ୍ତି ରହିଛି। ୨୦୨୦ରେ ଉପରମୁଣ୍ଡ ଚାଷୀ ପାଣି ପାଇଥିବା ବେଳେ ଚଳିତ ୨୦୨୧ରେ ତଳମୁଣ୍ଡକୁ ପାଣିଦେବାର ନିର୍ଦେଶ ରହିଥିଲେ ମଧ୍ୟ ଉପରମୁଣ୍ଡ ଚାଷୀ ବିଭିନ୍ନ ଆଳ ଦେଖାଇ ବିଭିନ୍ନ ସମୟରେ ଧାରଣା ଦେଉଛନ୍ତି। ଶୁକ୍ରବାର ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ମାରାଥନ ବୈଠକ ହୋଇଥିଲା। ତଥାପି କୌଣସି ସମାଧାନ ହୋଇ ପାରିନଥିଲା। ସେହିପରି ଶନିବାର ପୁଣି ଅପରାହ୍ଣ ୩ଟାରୁ ଜିଲ୍ଲା ପ୍ରଶାସନ ଓ ଚାଷୀଗୋଷ୍ଠୀମାନଙ୍କୁ ନେଇ ପୁଣି ମାରାଥନ ବୈଠକ ଚାଲିଛି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ଫିଟି ନଥିଲା। ଉଭୟ ଚାଷୀ ଗୋଷ୍ଠୀ ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଜିଲ୍ଲା ପ୍ରଶାସନ ଏହା ଉପରେ ତୁରନ୍ତ ପଦକ୍ଷେପ ନେଇ ଚାଷୀଙ୍କୁ ପାଣି ଦେବାର ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର