ଅଶାନ୍ତ ଉତ୍ତର ପୂର୍ବାଞ୍ଚଳ:ଉଗ୍ର ହେଉଛି ଆନ୍ଦୋଳନ

ରାଜନାଥଙ୍କୁ ଭେଟିଲେ ଆସାମ, ମଣିପୁର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ନାଗରିକତା ସଂଶୋ‌ଧନ ବିଲ୍‌କୁ ବିରୋଧ କରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆନ୍ଦୋଳନ ଜୋରଦାର ହୋଇଛି। ହିଂସାତ୍ମକ ଆନ୍ଦୋଳନ ଯୋଗୁଁ ସରକାର ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ଘଟୁଛି। ଆଜି ଆନ୍ଦୋଳନକାରୀମାନେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ଙ୍କୁ କଳା ପତାକା ପ୍ରଦର୍ଶନ କରିଛନ୍ତି। ଜନ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେଉଥିବାରୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍ ସିଂହ ଆଜି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଛନ୍ତି ଏବଂ ଉତ୍ତର ପୂର୍ବରେ ସାଂସ୍କୃତିକ ପରିଚୟର ସୁରକ୍ଷା ନେଇ ରାଜନାଥଙ୍କୁ ଅନୁରୋଧ କରିଛନ୍ତି। ବୈଠକରେ ରାଜନାଥ ଆସାମର ଐତିହ୍ୟ ଏବଂ ସାଂସ୍କୃତିକ ପରିଚୟକୁ ସୁରକ୍ଷା ‌ଦେବାନେଇ ଆଶ୍ବାସନା ପ୍ରଦାନ କରିଥିବା ଜଣାପଡ଼ିଛି। ଖୁବ୍‌ ଶୀଘ୍ର ରାଜନାଥ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ‌ ଏକ ଆଲୋଚନା ବୈଠକ କରିବେ ବୋଲି ଆଜି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌-୨୦୧୬ ଗୃହୀତ ହେବା ପରଠାରୁ ଏହାକୁ ବିରୋଧ କରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆନ୍ଦୋଳନ ଚାଲିଛି । ବିଲ୍‌ ପ୍ରତ୍ୟାହାର କରିନେବାପାଇଁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ନାଗରିକତା ସଂଶୋଧନ ବିଲ୍‌ ପ୍ରତ୍ୟାହାର ଦାବିରେ ଆଜି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦଙ୍କୁ ମଜୁଲିରେ ଆନ୍ଦୋଳନକାରୀମାନେ କଳା ପତାକା ପ୍ରଦର୍ଶନ କରିଥିଲେ। ସମଗ୍ର ୭ଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ଏହି ବିଲ୍‌କୁ ବିରୋଧ କରାଯାଇଛି। ନିକଟରେ ବିଜେପିରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବା ଏଜିପି (ଆସାମ ଗଣ ପରିଷଦ) ବିଲ୍‌ ବିରୋରେ ଆସନ୍ତା ୧୮ ତାରିଖରେ ମେଗା ରୢାଲି ଆୟୋଜନ କରୁଛି।
ତ୍ରିପୁରାରେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ଉତ୍ତେଜନା ଲାଗି ରହିଛି। ୨ ଦିନ ତଳେ ପୁଲିସ ଗୁଳିରେ ଆହତ ହୋଇଥିବା ୩ ଜଣ ଆନ୍ଦୋଳନକାରୀଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍‌ ନିଆଯାଉଥିବା ବେଳେ ରାସ୍ତାରେ ପୁଲିସ ବାହିନୀ ଉକ୍ତ ଆମ୍ବୁଲାନ୍ସ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଏକ ଭିଡିଓ ଏବେ ‌ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ତ୍ରିପୁରାରେ ପୁଲିସକୁ ଏଥିପାଇଁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ଅସନ୍ତୋଷର ନିଆଁ ଜଳୁଥିବାରୁ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ପାଇଁ ଜଟିଳ ସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର